Sun. Feb 22nd, 2026

ନ୍ୟୁଜ ଡେକ୍ସ : ଜେପି ନଡ୍ଡାଙ୍କ ପରେ କିଏ ହେବେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ—ଏହି ପ୍ରଶ୍ନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଆଲୋଚନାର ଆଜି ସମାପ୍ତି ଘଟିଛି। ସମସ୍ତ ଔପଚାରିକତା ପୂରଣ ପରେ ନୀତିନ ନବୀନଙ୍କ ନାମକୁ ବିଜେପିର ଦ୍ୱାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ମୁଦ୍ରା ଲାଗିଛି।ଡିସେମ୍ବର ୧୪, ୨୦୨୫ରେ ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ, ସୋମବାର ନିର୍ବାଚନ ସମ୍ପର୍କିତ ପ୍ରକ୍ରିୟା ସମାପ୍ତ ହେବା ପରେ ତାଙ୍କ ନାମ ଶେଷରେ ନିଶ୍ଚିତ ହୋଇଥିଲା।

ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାମାଙ୍କନ ଦାଖଲ କରିନଥିବାରୁ ନୀତିନ ନବୀନ ନିର୍ବିରୋଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି।ମଙ୍ଗଳବାର ସକାଳ ୧୧ଟା ୩୦ରେ ତାଙ୍କର ନିର୍ବାଚନ ଘୋଷଣା ଆନୁଷ୍ଠାନିକ ଭାବେ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଜେପିର ବରିଷ୍ଠ ନେତୃତ୍ୱ ସହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିମାନେ ଉପସ୍ଥିତ ରହିବେ।ନୀତିନ ନବୀନଙ୍କ ପକ୍ଷରେ ମୋଟ ୩୭ଟି ନାମାଙ୍କନ ସେଟ୍ ଦାଖଲ କରାଯାଇଥିଲା। ଏଥିମଧ୍ୟରୁ ୩୬ଟି ସେଟ୍ ଦେଶର ବିଭିନ୍ନ ରାଜ୍ୟ ସଂଗଠନ ଦ୍ୱାରା ଓ ଗୋଟିଏ ସେଟ୍ ବିଜେପିର ଜାତୀୟ ପରିଷଦ ଓ ସଂସଦୀୟ ଦଳ ଦ୍ୱାରା ଦାଖଲ କରାଯାଇଥିଲା।

ଏହି ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଜେପି ନଡ୍ଡା ସହ ୨୦ଜଣ କେନ୍ଦ୍ରୀୟ ନେତା ପ୍ରସ୍ତାବକ ଭାବେ ଅନ୍ତର୍ଭୁକ୍ତ ଥିଲେ।ଜେପି ନଡ୍ଡା ତାଙ୍କ ବିସ୍ତାରିତ କାର୍ଯ୍ୟକାଳ ସମୟରେ ଦଳର ନେତୃତ୍ୱ ଦେଇଥିବା ବେଳେ, ଏବେ ନୀତିନ ନବୀନଙ୍କ ହାତରେ ଦଳର ରାଷ୍ଟ୍ରୀୟ ଦାୟିତ୍ୱ ଆସିବା ସହ ବିଜେପିର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *