ନ୍ୟୁଜ ଡେକ୍ସ : ବିହାର ସରକାରରେ ମନ୍ତ୍ରୀ ଥିବା ନୀତୀନ ନବୀନଙ୍କୁ ବିଜେପି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ରବିବାର ଦଳ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଦେଶର ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ପ୍ରଶ୍ନ ଉଠୁଛି—ନୀତୀନ ନବୀନ କି ଆଗାମୀ ଦିନରେ ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ?ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ, ଏପରି ନିଯୁକ୍ତି ପୂର୍ବରୁ ମଧ୍ୟ ଦେଖାଯାଇଛି।
ଜେ.ପି. ନଡ୍ଡା ଯେତେବେଳେ ବିଜେପି ସଭାପତି ହୋଇଥିଲେ, ସେତେବେଳେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କୁ ପ୍ରଥମେ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୦ ମସିହା ଜାନୁଆରୀ ୨୦ ତାରିଖରେ ସେ ଆଧିକାରିକ ଭାବେ ବିଜେପି ସଭାପତି ଘୋଷିତ ହୋଇଥିଲେ।ନିକଟରେ ବିହାର ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଏବଂ ନୂଆ ବର୍ଷ ଆସୁଥିବା ସମୟରେ ନୀତୀନ ନବୀନଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯିବାକୁ ନେଇ ଅନେକ ଅର୍ଥ ଖୋଜାଯାଉଛି। ଏଣୁ ସ୍ୱାଭାବିକ ଭାବେ ତାଙ୍କ ଭୂମିକାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ବଢ଼ିଛି। ତେବେ ଅନ୍ୟ ପଟେ ବିଜେପିର ସମ୍ବିଧାନରେ “କାର୍ଯ୍ୟକାରୀ ସଭାପତି” ନାମକ କୌଣସି ଆଧିକାରିକ ପଦବୀ ନଥିବା କଥା ମଧ୍ୟ ଆଲୋଚନାକୁ ଆସିଛି।
ଦଳର ୱେବସାଇଟ ସନ୍ଧାନ କଲେ ଏପରି ପଦବୀର ଉଲ୍ଲେଖ ମିଳୁନଥିବା କୁହାଯାଉଛି।ରାଜନୈତିକ ସୂତ୍ରମାନଙ୍କ ମତରେ, ଜାତୀୟ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ସାଧାରଣତଃ ଅସ୍ଥାୟୀ ହୁଏ। ଅର୍ଥାତ୍ ବିଜେପି ଯେପର୍ଯ୍ୟନ୍ତ ନୂତନ ଜାତୀୟ ସଭାପତିଙ୍କ ନାମ ଘୋଷଣା ନକରିଛି, ସେପର୍ଯ୍ୟନ୍ତ ଏହି ପଦବୀରେ ନିଯୁକ୍ତ ବ୍ୟକ୍ତି କାର୍ଯ୍ୟରତ ରହନ୍ତି। ଏହି ପରିପ୍ରେକ୍ଷିତରେ ନୀତୀନ ନବୀନଙ୍କ ନୂଆ ଦାୟିତ୍ୱକୁ ନେଇ ଚର୍ଚ୍ଚା ଆହୁରି ତେଜ ହେଉଛି।

