ନ୍ୟୁଜ ଡେକ୍ସ : ବାଲେଶ୍ଵର ଜିଲ୍ଲାର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳେ ପୋତାଯାଇଥିବା ହାତୀର ଗଳିତ ଶବ ଖୋଳି ହାତୀଦାନ୍ତ ତିଆରି ଓ ବେପାର କରାଯାଉଥିବା ଘଟଣାରେ ପୁଣି ୩ ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଏମାନଙ୍କୁ ମିଶାଇ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ ୩ଟି ହାତୀଦାନ୍ତ ଜବତ କରିଛି।
ତଦନ୍ତ ସମୟରେ ମାଟି ତଳେ ପୋତାଯାଇଥିବା ହାତୀ ହାଡ଼ ଖୋଳି ସେଗୁଡ଼ିକୁ ପଲିସ୍ କରି ହାତୀଦାନ୍ତ ଆକାରରେ ବେପାର କରାଯାଉଥିବା ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ଆନ୍ତର୍ଜିଲ୍ଲା ସଂଯୋଗ ଥିବା ବେପାର ଚକ୍ରରେ ଶିକାରୀ ଓ ବେପାରୀ ଉଭୟ ସଂଲଗ୍ନ ଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବରୁ ଅଭୟାରଣ୍ୟ ଅଞ୍ଚଳରେ ଲାଗିଥିବା ଏଆଇ କ୍ୟାମେରାର ସହାୟତାରେ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା।
ସେମାନଙ୍କ ନିକଟରୁ ମୃତ ଝିଙ୍କ ଓ ଜଙ୍ଗଲୀ ମୂଷା ସହିତ ବନ୍ଧୁକ ମଧ୍ୟ ଜବତ ହୋଇଥିଲା। ଅଭିଯୁକ୍ତମାନଙ୍କ ଫୋନ ରେକର୍ଡ ଯାଞ୍ଚ କରିବା ପରେ ଅଭୟାରଣ୍ୟ ଭିତରେ ଚାଲିଥିବା ହାତୀଦାନ୍ତ ବେପାର ଘଟଣାର ସୂତ୍ର ବନ ବିଭାଗ ପାଇଥିଲା। ବନ ବିଭାଗ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଥିବାବେଳେ ଏହି ଅବୈଧ ବନ୍ୟପ୍ରାଣୀ ବେପାର ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

