Sun. Feb 22nd, 2026

ନ୍ୟୁଜ ଡେକ୍ସ : ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ଦ୍ୱାରା ଉଠାଯାଇଥିବା ଇଭିଏମ୍ ଲୁଚାଇବା ଓ ଚୋରି ଅଭିଯୋଗକୁ ମିଛ ବୋଲି ଖଣ୍ଡନ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ। ସେ ସ୍ପଷ୍ଟ କରିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ଗଞ୍ଜାମ ଅଥବା ଅନ୍ୟ କୌଣସି ଜିଲ୍ଲାରୁ ଇଭିଏମ୍ ଆଣାଯାଇନଥିଲା ଏବଂ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍।

ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଗଞ୍ଜାମରୁ ନୂଆପଡ଼ାକୁ ଗୋଟିଏ ଟ୍ରକ୍ ଇଭିଏମ୍ ଆସିବା ଅସମ୍ଭବ। ସମସ୍ତ ଇଭିଏମ୍ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ଭାବେ ରଖାଯାଇଛି। ବିଜେଡି ପକ୍ଷରୁ ଯେ ଅଭିଯୋଗ ଆଣାଯାଇଥିଲା, ସେଥିରେ କୌଣସି ସତ୍ୟତା ନାହିଁ।”ସେ ଆହୁରି କହିଛନ୍ତି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ସମସ୍ତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଅବସ୍ଥାରେ ଅଛି। ପ୍ରତ୍ୟେକ ଷ୍ଟ୍ରଙ୍ଗରୁମକୁ ୩ ମାସରେ ଥରେ ଲେଖାଏଁ ଯାଞ୍ଚ କରାଯାଏ ଏବଂ ଏହି ଯାଞ୍ଚ ସମୟରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହନ୍ତି। ବିଜେଡି ଦ୍ୱାରା ଉଠାଯାଇଥିବା ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲାର ଦୁଇଟି ୱେୟାରହାଉସର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ପରେ ପ୍ରମାଣ ମିଳିଛି ଯେ ଅନ୍ୟ କୌଣସି ସ୍ଥାନରୁ ଇଭିଏମ୍‌ ନୂଆପଡ଼ାକୁ ଆଣାଯାଇନଥିଲା।ଗୋପାଳନ ଜଣାଇଛନ୍ତି, “ଏପର୍ଯ୍ୟନ୍ତ ଇଭିଏମ୍‌ ସମ୍ବନ୍ଧରେ ବିରୋଧୀ ଦଳଙ୍କ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇନାହିଁ। ସମସ୍ତ ଯାଞ୍ଚ ପ୍ରକ୍ରିୟା ଭିଡିଓଗ୍ରାଫି ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା ଶତପ୍ରତିଶତ ନିଶ୍ଚିତ।”ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଇଭିଏମ୍‌ ନେଇ ରାଜନୈତିକ ମହଳରେ ଯେ ତର୍କ ଚାଲିଥିଲା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ସ୍ପଷ୍ଟୀକରଣ ପରେ ସେଥିରେ ଶେଷ ରେଖା ଟାଣା ହୋଇଛି।

Leave a Reply

Your email address will not be published. Required fields are marked *