ନ୍ୟୁଜ ଡେକ୍ସ : ନୂଆପଡ଼ା ଉପନିର୍ବାଚନ ନିକଟବର୍ତ୍ତୀ ହେଉଥିବାବେଳେ ସମସ୍ତ ରାଜନୈତିକ ଦଳ ନିଜ ରଣନୀତିକୁ ଆଉ ଶାଣିତ କରୁଛନ୍ତି । ଏହି ପରିପ୍ରେକ୍ଷିତିରେ କଂଗ୍ରେସ ଆଜି ନିଜ ଘୋଷଣାପତ୍ର (ଇସ୍ତାହାର) ଜାରି କରି ମତାଦାତାଙ୍କ ମନ ଜିତିବାରେ ନୂତନ ଚେଷ୍ଟା ଆରମ୍ଭ କରିଛି ।ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଇସ୍ତାହାର ଉନ୍ମୋଚନ କରିଥିଲେ ।
ସଂକଳ୍ପପତ୍ରରେ କଂଗ୍ରେସ ଗତ କାଳରେ ହୋଇଥିବା ବିକାଶ କାର୍ଯ୍ୟ ଓ ଆଗାମୀ ଯୋଜନାଗୁଡ଼ିକୁ ସ୍ପଷ୍ଟ କରିଛି ।ଘୋଷଣାପତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ପଟ୍ଟା ପ୍ରଦାନ, ଶୀତଳ ଭଣ୍ଡାର ଓ ଆଦିବାସୀ ଅଧିକାର ଭଳି ମୁଖ୍ୟ ବିଷୟଗୁଡ଼ିକୁ ଆଗରେ ରଖାଯାଇଛି । ଦଳ ପ୍ରତିଶ୍ରୁତି ଦେଇଛି ଯେ, କଂଗ୍ରେସ ଶାସନ ଆସିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଶୀତଳ ଭଣ୍ଡାର ନିର୍ମାଣ ହେବ, ଯାହା ଚାଷୀମାନଙ୍କ ଉତ୍ପାଦିତ ଜିନିଷ ସଂରକ୍ଷଣରେ ସାହାଯ୍ୟ କରିବ । ସେହିପରି ଦଳ ଜଙ୍ଗଲ ଜମିପଟ୍ଟା ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀମାନଙ୍କୁ ଜମି ଅଧିକାର ଦେବା ଓ ଭୂମିହୀନ ଲୋକଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡିହ ପଟ୍ଟା ଦେବାର ଆଶ୍ୱାସନ ଦେଇଛି ।ଘୋଷଣାପତ୍ରରେ ଉଲ୍ଲେଖ ହୋଇଛି ଯେ, ସବୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ହେବା ସହିତ ଗୁଣାତ୍ମକ ଶିକ୍ଷାରେ ଗୁରୁତ୍ୱ ଦିଆଯିବ ।
ମେଡ଼ିକାଲ ସେକ୍ଟରରେ ଖାଲି ଥିବା ଡାକ୍ତର ପଦବୀ ପୂରଣ କରି ସ୍ୱାସ୍ଥ୍ୟ ସେବାକୁ ଶକ୍ତିଶାଳୀ କରାଯିବ ।କଂଗ୍ରେସ ଆହୁରି ଆଶ୍ୱାସନ ଦେଇଛି ଯେ, ପତୋରା ଡ୍ୟାମ ଓ ତିଖାଲି ପ୍ରକଳ୍ପର ଉନ୍ନତି ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାର ୬୦ ଶତାଂଶ ଚାଷଜମିକୁ ଜଳସେଚନ ସୁବିଧା ଯୋଗାଯିବ ।ଦଳ ଜଣାଇଛି ଯେ, ନୂଆପଡ଼ାର ଯୁବକ-ଯୁବତୀମାନଙ୍କୁ ତାଙ୍କ ମାଟିରେ ରୋଜଗାର ସୁଯୋଗ ଦେଇବା, ଲଘୁଉଦ୍ୟୋଗ ପ୍ରତିଷ୍ଠା ଓ ଏନ୍.ଆର୍.ଜି.ଏସ୍. କୁ କ୍ରିୟାଶୀଳ କରି ଦାଦନ ପ୍ରଥାକୁ ରୋକିବା ହେଉଛି କଂଗ୍ରେସର ପ୍ରାଥମିକ ଲକ୍ଷ୍ୟ ।ଭକ୍ତଚରଣ ଦାସ କହିଛନ୍ତି — “ଜୀବନ ଦୁଃଖରୁ ମୁକ୍ତି ଦେବା, ନୂଆପଡ଼ାର ସାମାଜିକ ଓ ଆର୍ଥିକ ଉନ୍ନତି କରିବା — ଏହା ହେଉଛି କଂଗ୍ରେସର ମୂଳ ସଂକଳ୍ପ।”

