Thu. Oct 23rd, 2025

ନ୍ୟୁଜ ଡେକ୍ସ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଅବଶେଷରେ କଂଗ୍ରେସ ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଏଆଇସିସି ମଙ୍ଗଳବାର ଅନୁମୋଦନ ଦେଇଛି। ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସି ରାଜନୈତିକ ବ୍ୟାପାର କମିଟିର ପ୍ରସ୍ତାବ ପରେ ଏଆଇସିସି ସାଧାରଣ ସଂପାଦକ (ସଂଗଠନ) ଆଜି ଆଧିକାରିକ ବିଜ୍ଞପ୍ତି ଜାରି କରିଛନ୍ତି।

ଘାସିରାମ ମାଝୀଙ୍କ ନାମ ଘୋଷଣା ହେବା ପରେ କଂଗ୍ରେସ ଶିବିରରେ ଆନନ୍ଦର ଲହର ଦେଖାଦେଇଛି। ଦଳର କର୍ମୀ ଓ ସମର୍ଥକମାନେ ଏହାକୁ “ଜିତିବା ନିଶ୍ଚିତ ପଦକ୍ଷେପ” ବୋଲି ବର୍ଣ୍ଣନା କରିଛନ୍ତି।ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ହୋଇଥିଲା। ତାହା ପରେ ରାଜ୍ୟରେ ଉପନିର୍ବାଚନ ନେଇ ରାଜନୈତିକ ଚଞ୍ଚଳତା ବଢିଥିଲା।ଘାସିରାମ ମାଝୀ ୨୦୧୪ ଓ ୨୦୧୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢିଥିଲେ ଓ ୨୦୨୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମହତ୍ତ୍ୱପୂର୍ଣ୍ଣ ୫୦,୯୪୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ ଦାଖଲ କରିଥିଲେ।

ଏହା ଦେଖି ଏଥର ସେ ଜିତିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଶା ପ୍ରକାଶ କରିଛନ୍ତି।ସେ କହିଛନ୍ତି, “ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନେ ମିଶିତ ୬୫ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଏଥର ଘାସିରାମ ମାଝୀ ଦଳୀୟ ପ୍ରାର୍ଥୀ ଭାବେ ଜନମନର ସମର୍ଥନ ପାଇବେ ଏବଂ ଜିତିବେ ବୋଲି ଆମେ ନିଶ୍ଚିତ।”ଅନ୍ୟ ପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି।

ଆହୁରି ମଧ୍ୟ ନୂଆପଡା ବିଧାନସଭା ଖଣ୍ଡ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଭକ୍ତ ଚରଣ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି । ପ୍ରଥମ ଦିନର ରାଲିରେ ସହସ୍ର ସଂଖ୍ୟାରେ କର୍ମୀମାନେ ଯୋଗଦେବା କଥା ଦଳରେ ଉତ୍ସାହକୁ ପ୍ରମାଣ କରୁଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *