ନ୍ୟୁଜ ଡେକ୍ସ : ଆସନ୍ତା ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ଦିନକୁ ଦିନ ଉତ୍ତେଜନାପୂର୍ଣ୍ଣ ହେଉଛି। ସମସ୍ତ ଦଳ ପ୍ରଚାରକାର୍ଯ୍ୟରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷ୍ୟରେ ଆସନ୍ତା ନଭେମ୍ବର ୭ ତାରିଖରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ନୂଆପଡ଼ା ଗସ୍ତରେ ଆସୁଛନ୍ତି।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ଭୋଟ ମାଗିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସେ ଆଜି ନୂଆପଡ଼ାର ସାଲେଭଟା ଠାରେ ଆୟୋଜିତ ହେବାକୁ ଥିବା ବିଶାଳ ସମାବେଶ ସ୍ଥଳ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।ଏହି ଅବସରରେ ପିସିସି ସଭାପତିଙ୍କ ସହ ପ୍ରାର୍ଥୀ ଘାସିରାମ ମାଝୀ, ବିଧାୟକ ଅଶୋକ ଦାସ, ପୂର୍ବତନ ଆଇଏଏସ ଅଧିକାରୀ ଓ କଂଗ୍ରେସର ଜାତୀୟ ମୁଖପାତ୍ର ଅମିତ ହୁସେନ, ନେତା ଆଲୋକ ବାବୁ ସହିତ ଅନ୍ୟାନ୍ୟ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।ସୂଚନା ମିଳିଛି ଯେ, ରେଭନ୍ଥ ରେଡ୍ଡୀଙ୍କ ଆଗମନକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଯାଉଛି।
ତାଙ୍କ ସମାବେଶ ମାଧ୍ୟମରେ ଦଳ ନିଜ ଭୋଟ ଭିତିକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରୁଛି। ଏପରି ସମୟରେ, ନୂଆପଡ଼ା ଉପନିର୍ବାଚନ ପାଇଁ ନଭେମ୍ବର ୧୧ ତାରିଖରେ ମତଦାନ ହେବ ଏବଂ ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା ହେବ।ଉଲ୍ଲେଖନୀୟ ଯେ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଳକିଆଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ପରିସ୍ଥିତିରେ ନୂଆପଡ଼ା ଆସନକୁ ନେଇ ସମସ୍ତ ଦଳ ନିଜ ଶକ୍ତି ପରୀକ୍ଷାରେ ନିମଗ୍ନ ହୋଇଛନ୍ତି।

