ନ୍ୟୁଜ ଡେକ୍ସ: ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ସ୍ବତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ସେପଟେ ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଆହୁରି ଅନେକ କିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ନାଟମଣ୍ଡପରେ ଅସ୍ଥାୟୀ ବ୍ୟାରିକେଡ଼ କରାଯାଇ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ଏକ ସ୍ବତନ୍ତ୍ର ଲାଇନ୍ ରେ ଏବଂ ଅନ୍ୟ ଭକ୍ତମାନଙ୍କୁ ସ୍ବତନ୍ତ୍ର ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛଡାଯିବ। ସେହିପରି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ। ଓବିସିସି ପକ୍ଷରୁ ଏହି ଦାୟିତ୍ବ ନିଆଯାଇଥିବା ବେଳେ ଆସନ୍ତା ଇଂରାଜୀ ନବବର୍ଷ ରୁ ଏହି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ଲାଗୁ କରାଯିବା ପରେ ଯାହା ତ୍ରୁଟି ବିଚ୍ୟୁତି ଆସିବ ତାହାକୁ ସମୀକ୍ଷା କରାଯାଇ ଆହୁରି ଶୃଙ୍ଖଳିତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିରକୁ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ କୌଣସି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ଭକ୍ତମାନେ ପ୍ରବଳ ହଇରାଣ ହେଉଛନ୍ତି। ବିଶେଷ କରି ମହିଳା, ଛୋଟପିଲା ଓ ବୟସ୍କ ବ୍ୟକ୍ତି ଅନେକ ସମୟରେ ତଳେ ପଡିଯାଇ ଆହତ ହେଉଥିବା ବେଳେ ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।