Sat. Feb 21st, 2026

ନ୍ୟୁଜ ଡେକ୍ସ : ନୂଆବର୍ଷ ଆରମ୍ଭ ସହିତ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି। ପାଣିପାଗ ବିଭାଗ ଜାନୁଆରୀ ୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହା ସହ ଘନ କୁହୁଡ଼ିକୁ ନେଇ ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଜାନୁଆରୀ ୧ ତାରିଖ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବା ସମ୍ଭାବନା ରହିଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସୁନ୍ଦରଗଡ଼, କନ୍ଧମାଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ।

ଏହି ଅଞ୍ଚଳରେ ଦୃଶ୍ୟମାନତା କମିବା ସହ ସଡ଼କ ଓ ରେଳ ଯାତାୟାତରେ ପ୍ରଭାବ ପଡ଼ିପାରେ।ଏହାଛଡ଼ା ବର୍ଷର ଶେଷଦିନ ଅର୍ଥାତ୍ ୩୧ ଡିସେମ୍ବର ପାଇଁ ମଧ୍ୟ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି କରିଛି। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବା ସମ୍ଭାବନା ରହିଛି। ଅନ୍ୟପଟେ ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ରାଜ୍ୟର ୧୫ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍‌ ତଳକୁ ଖସିବାର ସମ୍ଭାବନା ରହିଛି।

ପୂର୍ବ ଓଡ଼ିଶାର ଅନେକ ସ୍ଥାନରେ ଶୀତଳ ପବନ ସହ ହାଡ଼କମ୍ପା ଶୀତ ଅନୁଭୂତ ହେଉଛି।ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିଅସ୍‌ ରେକର୍ଡ କରାଯାଇଛି, ଯାହା ଏହି ଋତୁର ସର୍ବନିମ୍ନ ମଧ୍ୟରେ ଗଣାଯାଉଛି।ପାଣିପାଗ ବିଭାଗ ଲୋକମାନଙ୍କୁ ସତର୍କ ରହିବା ସହ ଘନ କୁହୁଡ଼ି ସମୟରେ ଯାତାୟାତରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ବୃଦ୍ଧ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ଅଧିକ ଥଣ୍ଡାରୁ ସୁରକ୍ଷିତ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *