Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା ନୂଆବର୍ଷକୁ ନଜରରେ ରଖି ରାଜ୍ୟ ବିଜେପି ପକ୍ଷରୁ ଆକ୍ସନ୍ ପ୍ଲାନ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷିତରେ ରାଜ୍ୟ ବିଜେପିର ଚାରିଜଣ ସାଧାରଣ ସମ୍ପାଦକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସଂଗଠନୀୟ ସ୍ଥିତି, ଆଗାମୀ କାର୍ଯ୍ୟକ୍ରମ ଏବଂ ନୂଆ ରଣନୀତିକୁ ନେଇ ଗଭୀର ଆଲୋଚନା ଚାଲିଛି।

ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ରହିଛନ୍ତି। ଚାରି ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା ମାଧ୍ୟମରେ ଦଳର ସାମ୍ପ୍ରତିକ ସାଙ୍ଗଠନିକ ସ୍ଥିତିକୁ ଆଲୋଚନା କରାଯାଉଛି।ବୈଠକକୁ ନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମ, ଆନ୍ଦୋଳନ ଓ ରଣନୀତିକୁ ନେଇ ଏକ ସ୍ପଷ୍ଟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ସମସ୍ତ ଦିଗରୁ ଚିନ୍ତା-ମନ୍ଥନ କରି ଦଳକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟ ରହିଛି। ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ଯେ, ଆଗାମୀ ବର୍ଷରେ ବୁଥ ଓ ମଣ୍ଡଳ ସ୍ତରରୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଦଳ ଗ୍ରାଉଣ୍ଡ ଲେଭେଲକୁ ଯାଇ ଅଧିକରୁ ଅଧିକ ଲୋକଙ୍କୁ ବିଜେପି ସହିତ ଯୋଡ଼ିବା ପାଇଁ ସଂଗଠନୀୟ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *