Sat. Feb 21st, 2026

ନ୍ୟୁଜ ଡେକ୍ସ : ବିଦାୟ ନେଇଛି ବର୍ଷ ୨୦୨୫। ନୂଆ ଆଶା, ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ ୨୦୨୬। ସମଗ୍ର ଦେଶରେ ଇଂରାଜୀ ନବବର୍ଷକୁ ପରସ୍ପରକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆନନ୍ଦରେ ସ୍ବାଗତ କରାଯାଇଛି। ଏହି ଅବସରରେ ବର୍ଷର ପ୍ରଥମ ଦିନ ଜଗନ୍ନାଥ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ଦେଖାଦେଇଛି।ନୂଆ ବର୍ଷର ଶୁଭ ଆରମ୍ଭ ପାଇଁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ପୁରୀକୁ ଛୁଟି ଆସିଛନ୍ତି।

ନୀତିକାନ୍ତି ପାଇଁ ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇଥିଲା ଏବଂ ନୀତି ସମ୍ପନ୍ନ ପରେ ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ମିଳୁଛି।ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ୨୫ ମିନିଟରେ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା। ଦ୍ୱାର ଫିଟା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ସହ ଅନ୍ୟାନ୍ୟ ଅଧିକାରୀମାନେ ଶ୍ରୀମନ୍ଦିରକୁ ଯାଇ ବ୍ୟବସ୍ଥାର ସ୍ଥଳୀୟ ଅନୁଧ୍ୟାନ କରିଥିଲେ।

ରାତି ୨ଟାରୁ ପୁଣିଥରେ ଦର୍ଶନ ଆରମ୍ଭ ହୋଇଥିଲା। ଗୋପାଳ ବଲ୍ଲଭ ଭୋଗ ନୀତି ପାଇଁ ପ୍ରାୟ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ଏହା ପରେ ସକାଳ ୬ଟାରୁ ପୁଣି ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି।ନୂଆ ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ନିଆଯାଇଛି।

Leave a Reply

Your email address will not be published. Required fields are marked *