ନ୍ୟୁଜ ଡେକ୍ସ: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଶ୍ରୀ ହରିବାବୁ କମ୍ଭମପତି । ରାଜ୍ୟର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି । ରାଜଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ନୂତନ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତିଙ୍କୁ ଶପଥ ପାଠ କରାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶପଥ ଗ୍ରହଣ ଉତ୍ସବ ପରେ ନୂତନ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବରେ ହରିବାବୁ କମ୍ଭମ୍ପତିଙ୍କୁ ନିଯୁକ୍ତି ମିଳିଥିଲା।
ଗତକାଲି ଭୁବନେଶ୍ୱରରେ ପହଞ୍ଚି ସେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ହରିବାବୁ ଓ ତାଙ୍କ ପରିବାର।ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ସେ ଭୁବନେଶ୍ୱର ଫେରିଥିଲେ। ଏହାପରେ ରାଜଭବନରେ ଶପଥ ନେଇଛନ୍ତି ହରି ବାବୁ । ଏହି ଅବସରରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କହିଛନ୍ତି ।