ନ୍ୟୁଜ ଡେକ୍ସ: ଠକେଇର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି। ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଠକ ଜଣେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି। ନୋଟରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମଙ୍କ ଫଟୋ ଲାଗିଥିବା ନୋଟ୍ ଦେଇ ଠକି ନେଲେ ୨ କିଲୋ ସୁନା। ଏଭଳି କିଛି ଅଭିଯୋଗ ଆସିଛି ଗୁଜୁରାଟ ଅହମ୍ମଦାବାଦରୁ।
ସୂଚନା ମୁତାବକ,ଗୁଜୁରାଟ ଅହମ୍ମଦାବାର ସରାଫା ବଜାରରେ କୋଟି କୋଟି ଟଙ୍କାର ଠକେଇର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସୁନା ଦୋକାନରୁ ମହାତ୍ମା ଗାନ୍ଧିଜୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଲାଗିଥିବା ଏଭଳି ନକଲି ନୋଟ ଦେଇ ଠକିଛନ୍ତି ୩ ଧୂର୍ତ୍ତ ଠକ। ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କାର ୨ କିଲୋ ସୁନା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ। ନୋଟ ଗଣତି ବେଳେ ଠକେଇ ସଂପର୍କରେ ଜଣାପଡିଥିଲା। ୫୦୦ ଟଙ୍କିଆ ନୋଟ୍ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେର୍ଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ। ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ।