Tue. Feb 24th, 2026

ନ୍ୟୁଜ ଡେକ୍ସ : ନୟାଗଡ ଜିଲ୍ଲାରେ ଡକାୟତି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ବୋମାମାଡ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ତିନି ଗ୍ରାମବାସୀ ଗୁରୁତର ଆହତ ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରି ପୋଲିସଙ୍କ ହାତକୁ ସମର୍ପଣ କରିଛନ୍ତି।ସୂଚନା ଅନୁଯାୟୀ, ଘଟଣା ଘଟିଛି ନୟାଗଡ ଟାଉନ ଥାନା ଅଧୀନ ସୋଲପଟା ଗାଁରେ।

ଗାଁରେ ରାସ୍ତା କାମ ଚାଲିଥିବା ସମୟରେ ଦୁଇ ଯୁବକ ସିମେଣ୍ଟ ଜଗିଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁଇଟି ମୋଟରସାଇକେଲରେ ଚଢ଼ି ଚାରିଜଣ ଦୁର୍ବୃତ୍ତ ଗାଁକୁ ପଶି ଡକାୟତି ଉଦ୍ୟମ କରିଥିଲେ।ଭାଟସାହି ଗାଁ ଭିତରକୁ ପଶି ଲୁଟ୍ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ଦୁର୍ବୃତ୍ତମାନଙ୍କୁ ଅଟକାଇ ପ୍ରଶ୍ନ କରିଥିଲେ। ଏହା ନେଇ ଯୁକ୍ତିତର୍କ ଚାଲି ହାତାହାତି ଓ ପାଟିତୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତା’ପରେ ଖସିବା ପାଇଁ ଦୁର୍ବୃତ୍ତମାନେ ବୋମା ଫୋଡ଼ିଥିଲେ। ଏହି ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ, ଓ ଶତୃଘ୍ନ ବାରିକ ଗୁରୁତର ଆହତ ହୋଇଥିଲେ।

ସମସ୍ତଙ୍କୁ ତତ୍କାଳ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି।ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରିଥିଲେ, ଯାହାଙ୍କ ପରିଚୟ ହେଲା କଇଥଗାଡିଆ ଗାଁର ଅକୃର ପ୍ରଧାନ। ପୋଲିସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କିନ୍ତୁ ବୋମାମାଡରେ ଆହତ ବ୍ୟକ୍ତିମାନଙ୍କ ସମ୍ପର୍କୀୟ ଲୋକ ମେଡିକାଲରେ ପହଞ୍ଚି ଅକୃରଙ୍କୁ ନିର୍ଦ୍ଦୁମ ମାଡ଼ି ଛେଚିଥିଲେ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ନୟାଗଡ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିସ୍ଥିତି ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *