ନ୍ୟୁଜ ଡେକ୍ସ : ଫେବୃଆରୀ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଏବଂ ୧୫ ତାରିଖରେ ମହାଶିବରାତ୍ରି ଅବସରରେ ପୁରୀର ପ୍ରଭୁ ଶ୍ରୀଲୋକନାଥ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ରେକର୍ଡ ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା ସମ୍ପର୍କିତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଜାଗର ଯାତ୍ରା ଶାନ୍ତି, ଶୃଙ୍ଖଳା ଓ ସୁସ୍ଥ ପରିବେଶରେ ସମ୍ପନ୍ନ ହେବା ଉଚିତ।ପୂର୍ବବର୍ଷ ତୁଳନାରେ ଏହି ବର୍ଷ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଥିବାରୁ ମନ୍ଦିର ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ଆପାତକାଳୀନ ସେବାକୁ ଆହୁରି ମଜବୁତ କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୧୩ ତାରିଖ ରାତ୍ର ୧୨ଟା ୩୦ ମିନିଟରେ ପହୁଡ଼ ଦ୍ୱାର ଖୋଲାଯିବ। ରାତ୍ର ୧ଟା ୧୫ ମିନିଟରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ସମାପନ ହେବ। ରାତ୍ର ୧ଟା ୪୫ ମିନିଟରୁ ୩ଟା ପର୍ଯ୍ୟନ୍ତ ସକାଳ ଧୂପ, ୩ଟାରୁ ୪ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ ହେବ।
ତାପରେ ରାତ୍ର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପଙ୍କଉଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ ହେବ। ଦିବା ୧୨ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିବ। ରାତ୍ର ୧୦ଟାରୁ ୧୧ଟା ମଧ୍ୟରେ ଧୂପ, ଅନ୍ୟାନ୍ୟ ନୀତି ଓ ବଡ଼ସିଂହାର ବେଶ ହେବ।ସେହିପରି ୧୫ ତାରିଖ ମହାଶିବରାତ୍ରି ଜାଗର ଦିନ ରାତ୍ର ୧୨ଟା ୩୦ ମିନିଟରେ ପହୁଡ଼ ଓ ଦ୍ୱାରଖୋଲା ହେବ। ରାତ୍ର ୧ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା ଇତ୍ୟାଦି ନୀତି ସମ୍ପନ୍ନ ହେବ।
ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିବ। ରାତ୍ର ୧୦ଟାରୁ ରାତ୍ର ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ତାପରେ ୨ଟାରୁ ୩ଟା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ ସିଂହାର ବେଶ ଓ ମହାଦୀପ ପ୍ରଜ୍ଜ୍ୱଳନ ଅନୁଷ୍ଠିତ ହେବ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତ ବିଭାଗକୁ ସମନ୍ୱୟରେ କାମ କରିବାକୁ ଏବଂ ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

