ନ୍ୟୁଜ ଡେକ୍ସ: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବର ସତ୍ୟନଗର ସ୍ମଶାନରେ ହେଲା ଶେଷକୃତ୍ୟ । ପୁଅ ବାବୁଶାନ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଏହି ଅବସରରେ ‘ଉତ୍ତମ ମହାନ୍ତି ଅମର ରହେ’ ଧ୍ବନୀରେ କମ୍ପିଲା ସତ୍ୟନଗର ସ୍ମଶାନ। ସତ୍ୟନଗରରେ ଶୋକାକୂଳ ବିଦାୟ ମୂହୁର୍ତ୍ତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି ଶେଷକୃତ୍ୟ ।
ନିଜ ଯାଦୁକରୀ ଅଭିନୟରେ ଉତ୍ତମ ସର୍ବୋତ୍ତମ ସାବ୍ୟସ୍ତ ହୋଇଥିଲେ । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି। ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।
୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।
