ନ୍ୟୁଜ ଡେକ୍ସ : ଆସନ୍ନ ପଞ୍ଚୁକ ବ୍ରତ ପରେ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ଏନେଇ ଆବଶ୍ୟକ ପ୍ରସ୍ତୁତି ଓ ପ୍ରକ୍ରିୟା ଜାରି ରହିଛି।ଏପରିସରେ ଆସନ୍ନ ପଞ୍ଚୁକ ବ୍ରତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ରବିବାର ଠାରୁ ଅର୍ଥାତ୍ ନଭେମ୍ବର ୨ ତାରିଖରୁ ପଞ୍ଚୁକ ବ୍ରତ ପାଳନ ଆରମ୍ଭ ହେବ। ଏହି ସମୟରେ ଭକ୍ତଙ୍କ ଅପାର ଭିଡ ହେବ ବୋଲି ଅନୁମାନ କରାଯାଉଛି।ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ। ପଞ୍ଚୁକ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମାର୍କେଟ ଛକ ଠାରୁ ମରିଚିକୋଟ, ମରିଚିକୋଟ ଠାରୁ ଶ୍ରୀନଅର, ଓ ଶ୍ରୀନଅର ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ତିନି ପର୍ଯ୍ୟାୟରେ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି।
କାର୍ତ୍ତିକ ମାସର ସ୍ବତନ୍ତ୍ର ବାଳଭୋଗ ଧୂପ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୪ଟାରୁ ଦ୍ୱାରଫିଟା ସହ ସଅଳ ନୀତି ହେବ। ଭିଡକୁ ଦୃଷ୍ଟିରେ ରଖି ଏବେ ଭିତର କାଠ ଦର୍ଶନ ବଦଳରେ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ଦର୍ଶନ କରିପାରିବେ। ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଛି। ପୋଲିସ, ଦେବଦସ ଓ ସୁରକ୍ଷା ବଳମାନେ ମିଶି ମନ୍ଦିର ଓ ପରିସରରେ ଅତିରିକ୍ତ ଯତ୍ନ ନେଉଛନ୍ତି।

