ନ୍ୟୁଜ ଡେକ୍ସ : ପଞ୍ଜାବ କଂଗ୍ରେସରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁଙ୍କୁ ସୋମବାର କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିବା ପରେ ରାଜ୍ୟ ରାଜନୀତିରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ନଭଜୋତଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
ସମ୍ପ୍ରତି ଏକ ମନ୍ତବ୍ୟରେ ନଭଜୋତ କୌର ସିଦ୍ଧୁ କହିଥିଲେ ଯେ, ପଞ୍ଜାବରେ ଯେଉଁ ବ୍ୟକ୍ତି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା କରିବେ, ସେହି ବ୍ୟକ୍ତିକୁ ଦଳକୁ ୫୦୦ କୋଟି ଟଙ୍କାର ଏକ “ସୁଟକେସ” ଅଫର କରିବାକୁ ପଡ଼ିବ। ତାଙ୍କର ଏହି ବୟାନକୁ ଦଳ ବିରୋଧୀ ଓ ଶିସ୍ତଭଙ୍ଗକାରୀ ବୋଲି କଂଗ୍ରେସ ନେତୃତ୍ୱ ମନେ କରିଥିବା ଜଣାଯାଇଛି।ନଭଜୋତଙ୍କ ଏପରି ମନ୍ତବ୍ୟ କଂଗ୍ରେସର ଭିତରୁଆ ରାଜନୀତିକୁ ସାଧାରଣ ସମ୍ମୁଖରେ ଆଣିଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏହାକୁ ନେଇ ପଞ୍ଜାବ କଂଗ୍ରେସ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ଦଳର ଏହି ନିଷ୍ପତ୍ତି ପରେ ନଭଜୋତ କୌର ସିଦ୍ଧୁ କଣ ପଦକ୍ଷେପ ନେବେ, ସେନେଇ ସମସ୍ତଙ୍କ ନଜର ରହିଥିବା ବେଳେ ପଞ୍ଜାବର ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ବଢ଼ିଛି।

