Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆଜି ସମଗ୍ର ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପର୍ବ ଧାର୍ମିକ ଆସ୍ଥା, ଉତ୍ସାହ ଓ ପରମ୍ପରାର ସହିତ ପାଳନ କରାଯାଉଛି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ତାଙ୍କ ସନ୍ଦେଶ ଦେଇ କହିଛନ୍ତି ଯେ, ଉତ୍ସାହ, ଉଦ୍ଦୀପନା ଓ ସାମୂହିକ ପରମ୍ପରାର ପର୍ବ ମକର ସଂକ୍ରାନ୍ତି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ଆହୁରି ମଜବୁତ କରେ।

ଏହି ପର୍ବ ମାଧ୍ୟମରେ ସମାଜରେ ଭାଇଚାରା, ସମନ୍ୱୟ ଓ ସହଯୋଗର ଭାବନା ଅଧିକ ସୁଦୃଢ଼ ହୁଏ ବୋଲି ସେ ଉଲ୍ଲେଖ କରିଛନ୍ତି।ସେ କହିଛନ୍ତି ଯେ, ଓଡ଼ିଶାର ଏହି ମହାନ ଓ ପୁରାତନ ପରମ୍ପରା ଆମ ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ କରୁ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟର ସର୍ବାଙ୍ଗୀଣ ପ୍ରଗତି ଅବ୍ୟାହତ ରହୁ, ଉନ୍ନତି ଓ ସମୃଦ୍ଧିର ପଥରେ ଓଡ଼ିଶା ଆଗକୁ ବଢ଼ୁ ବୋଲି ସେ କାମନା କରିଛନ୍ତି।

ତାଙ୍କ ସନ୍ଦେଶରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପରିବାରରେ ସୁଖ, ସାନ୍ତି, ସ୍ୱାସ୍ଥ୍ୟ ଓ ହସଖୁସି ଭରିଯାଉ ବୋଲି ଆଶା ପ୍ରକାଶ କରିଛନ୍ତି। ମକର ସଂକ୍ରାନ୍ତି ପର୍ବ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆରମ୍ଭର ପ୍ରତୀକ ବୋଲି ଉଲ୍ଲେଖ କରି ସେ ସମସ୍ତଙ୍କୁ ଏହି ପବିତ୍ର ପର୍ବକୁ ଶାନ୍ତି, ସଉହାର୍ଦ୍ୟ ଓ ସମର୍ପଣର ସହିତ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *