ନ୍ୟୁଜ ଡେକ୍ସ: ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀ । କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ଦେହାନ୍ତ ହୋଇଛି ।ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପ୍ରାୟ ୩ ମାସ ହେବ AIIMSରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦିବଂଗତ କଂଗ୍ରେସ ବିଧାୟକ ଅନନ୍ତରାମ ମାଝୀଙ୍କ ପୁଅ ।
ଅନନ୍ତରାମଙ୍କ ଦେହାନ୍ତ ପରେ ୨୦୦୮ରେ ସେ ଲକ୍ଷ୍ମୀପୁରର ବିଧାୟକ ହୋଇ ଚର୍ଚ୍ଚାକୁ ଆସିଥିଲେ । ଅନନ୍ତରାମ ମାଝିଙ୍କ ପୁଅ ଓ ରାୟଗଡ଼ା ବିଧାନସଭାର ବିଜେଡ଼ି ପ୍ରାର୍ଥୀ ଅନୁସୟା ମାଝୀଙ୍କ ଭାଇ ଅଟନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୮ ମସିହାରେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୭୪ ମସିହାରୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭେଟେରାନ କଂଗ୍ରେସ ନେତା ଅନନ୍ତରାମ ମାଝୀ ବିଧାୟକ ରହିଥିଲେ ।
୧୯୭୪ ନିର୍ବାଚନ ପରେ ୧୯୭୭ରେ ଉକ୍ତ ନିର୍ବାଚନ ମଣ୍ଡଳିରୁ ହାରିଥିଲେ ଅନନ୍ତରାମ । ଏହାପରେ ଲଗାତାର ଭାବେ ଅନନ୍ତରାମ ପୁଣି ୧୯୮୦ ଓ ୧୯୮୫ରେ ବିଧାୟକ ହୋଇଥିଲେ । ପରେ ୧୯୯୦ରେ ପରାସ୍ତ ହୋଇ ୧୯୯୫ରେ ପୁଣି ଅନନ୍ତରାମ ମାଝୀ କଂଗ୍ରେସରୁ ବିଧାୟକ ହୋଇଥିଲେ । ଏହାପରେ ୨୦୦୦ରେ ପରାସ୍ତ ହୋଇ ପୁଣି ୨୦୦୪ରେ ଅନନ୍ତରାମ କଂଗ୍ରେସରୁ ବିଜୟୀ ହୋଇଥିଲେ । କିନ୍ତୁ ୨୦୦୮ରେ ଅନନ୍ତ ରାମଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ପୁଣି କଂଗ୍ରେସ ପ୍ରାର୍ଥୀ ତଥା ଅନନ୍ତରାମଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ ।