ନ୍ୟୁଜ ଡେକ୍ସ : କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ବାରୁଣୀ ବଜାରରେ ଏକ ମର୍ମାନ୍ତିକ ଅଘଟଣ ଘଟିଛି। ପରିବା ଦୋକାନ ଭିତରେ ନିଆଁ ଲାଗି ଦୋକାନୀ ଜୀବନ୍ତଦଗ୍ଧ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ହେଲେ ସୁବାସ ମଲ୍ଲିକ, ଯାହାଙ୍କ ଘର କୁଦାନଗରୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ଜଣାପଡିଛି।ସୂଚନା ଅନୁସାରେ, ଦୋକାନର ବାହାର କବାଟ ଦେଇ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି।
ଦୋକାନ ଭିତରେ ଅଗ୍ନିକାଣ୍ଡ ଘଟିଥିବା ଭଳି ଦୃଶ୍ୟ ଦେଖାଯାଉଥିଲେ ମଧ୍ୟ, ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତେବେ ମୃତ ସୁବାସ ମଲ୍ଲିକଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ମତରେ, ପ୍ରଥମେ ହତ୍ୟା କରାଯାଇ ପରେ ଦୋକାନକୁ ପୋଡ଼ି ଦିଆଯାଇଥିବା ସନ୍ଦେହ ରହିଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭାରି ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ କଳାବୁଦା–ଗରଦପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ, ଯାହା ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ପରିସ୍ଥିତି ଗମ୍ଭୀର ହେବା ପରେ କୁଦାନଗରୀ ଥାନା ପୋଲିସ ହସ୍ତକ୍ଷେପ କରି ଅବସ୍ଥାକୁ ନିୟନ୍ତ୍ରଣ କରିଛି। ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଜବତ କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ଏହା ଅଗ୍ନିକାଣ୍ଡ ନା ହତ୍ୟା—ସେଥିପାଇଁ ପୋଲିସ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

