ନ୍ୟୁଜ ଡେକ୍ସ : ପଳାଶୁଣୀ ଛକରେ ଏକ ବୋରୱେଲ୍ ଡ୍ରିଲିଂ ମେସିନ୍ ଗାଡ଼ିର ତେଲ ଟାଙ୍କି ଫାଟିଯିବାରୁ ରାସ୍ତାରେ ଡିଜେଲ୍ ଛୁଟି ଯାଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ରସୁଲଗଡ଼ ଛକ ଓ ପଳାଶୁଣୀ ଛକ ଅଞ୍ଚଳରେ ଘଣ୍ଟାଧରି ଭୟଙ୍କର ଟ୍ରାଫିକ୍ ଜାମ୍ ହୋଇଥିଲା।ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ସମୟରେ ଏକ ବୋରୱେଲ୍ ଡ୍ରିଲିଂ ମେସିନ୍ ଗାଡ଼ି ରସୁଲଗଡ଼ ଓଭରବ୍ରିଜରୁ ତଳକୁ ଆସୁଥିବା ବେଳେ ପଳାଶୁଣୀ ଛକ ନିକଟରେ ତାହାର ତେଲ ଟାଙ୍କି ହଠାତ୍ ଫାଟିଯାଇଥିଲା।
ଫଳରେ ସମ୍ପୂର୍ଣ୍ଣ ରାସ୍ତା ଉପରେ ଡିଜେଲ୍ ପସରିଯାଇଥିଲା।ଡିଜେଲ୍ ଯୋଗୁ ରାସ୍ତା ଅତ୍ୟଧିକ ସ୍ଲିପ୍ ହୋଇଯିବାରୁ ପଛରୁ ଆସୁଥିବା କିଛି ବାଇକ୍ ଆରୋହୀ ଗାଡ଼ି ସ୍ଲିପ୍ ହୋଇ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରେ ବାଲି ପକାଇ ଡିଜେଲ୍ ଶୋଷଣ କରିଥିଲେ ଓ ଗାଡ଼ିକୁ ସାଇଡକୁ ହଟାଇଥିଲେ।
ସୁରକ୍ଷା କାରଣରୁ କିଛି ସମୟ ପାଇଁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଏହାର ପରିଣାମସ୍ୱରୂପ କଟକ ଦିଗକୁ ଯାଉଥିବା ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ପରେ ପରିସ୍ଥିତି ସାମାନ୍ୟ ହେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

