ନ୍ୟୁଜ ଡେକ୍ସ: ନିଆଁ ବର୍ଷୁଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ । ପାରଦ ୪୫ ଡିଗ୍ରୀ ସେଲସିୟସ୍ ଡେଇଁଛି, ଝାରସୁଗୁଡ଼ା (୪୫.୪ ଡିଗ୍ରୀ) ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ସେଥିରୁ ୧୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ଥିଲା ।
ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ଓଡ଼ିଶାରେ ତାତି କମ୍ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ। ମେ’ ଶେଷ ଭଳି ଗୁଳୁଗୁଳି ଅତିଷ୍ଠ କରି ପକାଇଲାଣି ଏପ୍ରିଲରେ। ଡରାଇଲାଣି ପାଣିପାଗ ପୂର୍ବାନୁମାନ। ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ। ୨୫ ତାରିଖ ଯାଏ ଟିକିଏ ବି ନିସ୍ତାର ଆଶା ନାହିଁ। ଗ୍ରୀଷ୍ମ ଲହରୀରେ ଜଳିବ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ୨୩ରୁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ଆହୁରି ନୟାନ୍ତ କରିବ।
ଭୀଷଣ ଗରମ ଓ ଗୁଳୁଗୁଳି ପାଇଁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ିଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ୫୦ ଜଣ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ଆସିଥିବା ସରକାରୀ ଭାବେ କୁହାଯାଇଛି । କେବଳ ସମ୍ବଲପୁରରେ ୪୦, ଦେବଗଡ଼ରେ ୬, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝରରେ ଜଣେ ଲେଖାଏଁ ବ୍ୟକ୍ତି ଅଂଶୁଘାତ ଆକ୍ରାନ୍ତ ହୋଇଥିଲେ ଗତକାଲି ସନ୍ଧ୍ୟା ସୁଦ୍ଧା । ଏ ସଂଖ୍ୟା ଆହୁରି ବଢ଼ିବ । ସ୍କୁଲ, କଲେଜ ଓ ଅଙ୍ଗନବାଡ଼ିରୁ ପିଲାମାନେ ଘରକୁ ଫେରିବାବେଳେ ପ୍ରଚଣ୍ଡ ଗରମରେ ଝାଇଁ ହୋଇ ପଡ଼ୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ିରେ ଖରା ଛୁଟି ନେଇ କିଛି ସରକାର ନିଷ୍ପତ୍ତି ନେଇନାହାନ୍ତି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୨୫ ତାରିଖ ପରେ ତାତି କ୍ରମଶଃ କମିବ । ବର୍ତ୍ତମାନ ଉତ୍ତର-ପଶ୍ଚିମ ପଟୁ ତତଲା, ଶୁଷ୍କ ପବନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରୁଥିବାରୁ ତାତି ବଢ଼ୁଛି । ଆରବ ସାଗର ପଟୁ କର୍ଣ୍ଣାଟକ ଦେଇ ଉପକୂଳ ଓଡ଼ିଶା ଆଡ଼କୁ ଆସୁଥିବା ପବନରେ ଜଳୀୟବାଷ୍ପ ଅଧିକ ରହୁଛି । ଯେଉଁଥିପାଇଁ ଉପକୂଳରେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି ।
ସାଧାରଣତଃ ମେ’ର ଶେଷ ଭାଗବେଳକୁ ଏଭଳି ଗୁଳୁଗୁଳି ହୋଇଥାଏ । ଏପ୍ରିଲରେ କେବଳ ଟାଣ ଖରା ଓ ଝାଞ୍ଜି ମାଡ଼ ହୁଏ । ଆସନ୍ତା ୨୩ରୁ ଉପକୂଳରେ ତାତି ପ୍ରକୋପ ବଢ଼ିବା ସହ ଗୁଳୁଗୁଳି କମିପାରେ । ଉପକୂଳ ୨୬ରୁ ଓ ଆଭ୍ୟନ୍ତରୀଣ ୨୭ରୁ ତାତିରୁ ନିସ୍ତାର ପାଇବେ । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅଧିକ ରହିବ ।
