Sat. Feb 21st, 2026

ନ୍ୟୁଜ ଡେକ୍ସ : କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କି ଭିତରେ ଖସିପଡ଼ି ତିନି ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁମାନେ ହେଲେ — ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା ଶିବାନୀ ଓ ୩ ବର୍ଷୀୟ ଶୁଭମ।ସୂତ୍ରମୁତାବକ, ଏହି ତିନି ଶିଶୁଙ୍କ ଘର ଇଚ୍ଛାପୁର ଏବଂ ବଡ଼ରାବେଣାରେ ଥିଲା।

ସେମାନେ ତାଙ୍କ ମାମୁଁଘର ରଗଡ଼ିପଡ଼ାକୁ ବୁଲିବାକୁ ଆସିଥିଲେ। ଖେଳୁଖେଳୁ ଏକ ପାଇଖାନା ଟାଙ୍କି ନିକଟରେ ଯାଇଥିବା ସମୟରେ ଅସାବଧାନତାବଶତଃ ଟାଙ୍କି ଭିତରକୁ ଖସିପଡ଼ିଥିଲେ। ଟାଙ୍କିରେ ପାଣି ଥିବାରୁ ସେମାନେ ବୁଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।ସୋମବାର ଘଟିଥିବା ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ନେମି ଆସିଛି। ତିନି ଶିଶୁଙ୍କ ଅକାଳ ମୃତ୍ୟୁରେ ପରିବାର ଓ ପଡ଼ୋଶୀମାନେ ଅସହାୟ ହୋଇ ପଡ଼ିଛନ୍ତି, ସମଗ୍ର ଗାଁରେ କନ୍ଦନର ରୋଦନ ଶୁଣାଯାଉଛି।

ଘଟଣାର ସୂଚନା ପାଇ ବଡ଼ମ୍ବା ପୋଲିସ ଦଳ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, “ଏହା ଏକ ଦୁର୍ଭାଗ୍ୟଜନକ ଅପଘାତ। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ଶିଶୁମାନେ ଖେଳୁଥିବା ସମୟରେ ଅସାବଧାନତାରେ ଟାଙ୍କିରେ ପଡ଼ିଥିଲେ। ଅଧିକ ତଦନ୍ତ ଚାଲିଛି।”

Leave a Reply

Your email address will not be published. Required fields are marked *