ନ୍ୟୁଜ ଡେକ୍ସ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ସହରରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ କମ୍ ସେ କମ୍ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଏହି ଘଟଣା ପୂର୍ବତନ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ସଦସ୍ୟ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ନୁର ଆଲାମ ମେହସୁଦଙ୍କ ଘରେ ଘଟିଥିଲା। ବିବାହ ଉତ୍ସବରେ ନାଚ-ଗୀତ ଚାଲିଥିବା ବେଳେ ହଠାତ୍ ଏକ କୋଠରୀରେ ଜୋରଦାର ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣର ତୀବ୍ରତା ଏତେ ବେଶି ଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ଅନେକ ଲୋକ ଧସା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଭୟଙ୍କର ଅରାଜକତା ସୃଷ୍ଟି ହୋଇଥିଲା।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ନୁର ଆଲାମ ମେହସୁଦଙ୍କ ସମେତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଯାଇଛି। ଏହି ଆତ୍ମଘାତୀ ଆକ୍ରମଣର ଭିଡିଓ ମଧ୍ୟ ସାମାଜିକ ମାଧ୍ୟମରେ ସାମ୍ନାକୁ ଆସିଛି, ଯାହାରେ ବିସ୍ଫୋରଣ ପରବର୍ତ୍ତୀ ଭୟାବହ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି।

