Mon. Dec 23rd, 2024

ନ୍ୟୁଜ ଡେସ୍କ: ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଦେଖାଯିବା ଘଟଣାରେ ବନ ବିଭାଗ ରଖିଛି ପ୍ରତିକ୍ରିୟା। ତାହା କଲରାପତରିଆ ବାଘ ନୁହେଁ, ବଣଭୂଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ। ରାତି ତମାମ ତଲାସି ପରେ ସକାଳେ ନଜର ଆସିଥିଲା ବଣଭୂଆ। ବାଘ ସନ୍ଦେହରେ ଟ୍ରାପ୍ କ୍ୟାମେରା ସହ ଯନ୍ତା ଲଗାଇଥିଲା ବନ ବିଭାଗ। ତେବେ ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ବାଘକୁ ଡମ୍ପିଂୟାର୍ଡର ଜଣେ ମହିଳା କର୍ମଚାରୀ ଦେଖିଥିବା କହିଛନ୍ତି ।

ଏହି ଖବର ପ୍ରଚାରିତ ହେବାପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଖବରପାଇ ସିଟି ଡିଭିଜନ କର୍ମଚାରୀମାନେ ବାଘ ଖୋଜା ଆରମ୍ଭ କରି ଦେଇଛନ୍ତି ।ବାଘ କେଉଁଠୁ ଆସିଲା ? କେଉଁଠି ଅଛି ତାହା ଜଣା ପଡ଼ିନାହିଁ । ସେଠାରେ ପଡ଼ିଥିବା ପାଦଚିହ୍ନରୁ ଏହା ଏକ ଗଧିଆ କିମ୍ବା ବଣ ବିରାଡ଼ି ବୋଲି ସିଟି ଡିଏଫ୍ଓ ଅଜିତ କୁମାର ଶତପଥୀ କହିଛନ୍ତି ।ତଥାପି ବନବିଭାଗର ୩ଟି ଟିମ୍ ଉକ୍ତ ଅଞ୍ଚଳରେ ଜାଲ ସହ ୨ଟି ଯନ୍ତାରେ ଦେଶୀ କୁକୁଡ଼ା ଓ ବ୍ରଏଲର କୁକୁଡ଼ା ଟଙ୍ଗାଇ ଜଗି ବସିଛନ୍ତି । ରାତିରେ ବନ ବିଭାଗ ପକ୍ଷରୁ ଏଡି ଅଞ୍ଚଳରେ ୪ଟି ଟ୍ରାପ୍ କ୍ୟାମେରା ଖଞ୍ଜାଯାଇଛି । ବାଘ ବୁଲୁଥିବା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶି ଯାଇଛି । ସନ୍ଧ୍ୟାବେଳୁ ଲୋକଙ୍କ ଘର ଗେଟ୍ରେ ତାଲା ପଡ଼ିଗଲାଣି । ଘଟଣାରୁ ଜଣାପଡ଼ିଛି, ଆଜି ପୂର୍ବାହ୍ନ ସାଢ଼େ ୯ଟାରୁ ୧୦ଟା ଭିତରେ ଏୟାରପୋର୍ଟ ଡମ୍ପିଂୟାର୍ଡର ଜଣେ ମହିଳା କର୍ମଚାରୀ ଏକ ଗଛ ଡାଳରେ କଲରାପତରିଆ ବାଘ ଭଳି ଏକ ଜନ୍ତୁକୁ ଦେଖି ଦୌଡ଼ିଥିଲେ ।

ସେହି ସମୟରେ ଜନ୍ତୁଟି ତଳକୁ ଲମ୍ଫ ମାରି ଜଙ୍ଗଲ ଭିତରକୁ ପଳାଇଥିଲା । ତେଣୁ ମହିଳା ଜଣଙ୍କ ପ୍ରଥମେ ପାଖରେ ଡ୍ୟୁଟିରେ ଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଜଣାଇଥିଲେ । ଯବାନ ଏନେଇ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ସୂଚନା ଥାଉକି, ୨୦୧୯ ଫେବ୍ରୁଆରୀ ୧୮ରେ ଏକ କଲରାପତରିଆ ବାଘ ଏୟାରପୋର୍ଟ ଅଞ୍ଚଳକୁ ଚାଲି ଆସିଥିଲା । ବାଘଟି ପଳାଶପଲ୍ଲୀ ଅଞ୍ଚଳରେ ଜନବସତି ଭିତରକୁ ବି ପଶି ଯାଇଥିଲା । ଫେବ୍ରୁଆରୀ ୨୦ରେ ବନବିଭାଗ ଦ୍ୱାରା ବସା ଯାଇଥିବା ଯନ୍ତାରେ ବାଘ ପଡ଼ିଥିଲା । ଉକ୍ତ ବାଘକୁ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଥିଲା ।

Leave a Reply

Your email address will not be published. Required fields are marked *