ନ୍ୟୁଜ ଡେକ୍ସ : ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡ଼ା ହବ ଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଏବଂ ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ପ୍ରସ୍ତାବ ପରେ କୁଜଙ୍ଗ ବ୍ଲକ ଉଦୟବଟରେ ଗ୍ୟାଲେରୀ ସହ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ ଓ ୨୫ ମିଟର ବିଶିଷ୍ଟ ସୁଇମିଂ ପୁଲ୍ ନିର୍ମାଣ ପ୍ରସ୍ତାବକୁ କ୍ରୀଡ଼ା ଓ ଯୁବସେବା ବିଭାଗ ନୀତିଗତ ଭାବେ ଅନୁମୋଦନ କରିଛି।
ପ୍ରକଳ୍ପ ପାଇଁ କମରେ କମ ୫ ଏକର ଜବରଦଖଲମୁକ୍ତ ସରକାରୀ ଜମି ଚିହ୍ନଟ କରି ବିଭାଗକୁ ଅବଗତ କରାଇବାକୁ ଅନୁରୋଧ ହୋଇଛି।ଗତମାସରେ କୁଜଙ୍ଗ ଓ ତିର୍ତ୍ତୋଲରେ ବ୍ଲକସ୍ତରୀୟ ଷ୍ଟାଡିୟମ ପାଇଁ ପ୍ରଶାସନିକ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ସ୍ବାଇଁ ଏହାକୁ ଅଧିକ ବ୍ୟାପକ ଓ ବିଶ୍ୱସ୍ତରୀୟ ରୂପ ଦେବାକୁ ପ୍ରସ୍ତାବ ରଖିଥିଲେ। ଉଦୟବଟରେ ପୂର୍ଣ୍ଣାଙ୍ଗ ଇନଡୋର ଷ୍ଟାଡିୟମ ସ୍ଥାପନ ହେଲେ ସ୍ଥାନୀୟ କ୍ରୀଡ଼ାବିତଙ୍କ ପ୍ରତିଭା ବିକାଶରେ ବଡ଼ ସହାୟତା ମିଳିବ ବୋଲି ସେ ଉଲ୍ଲେଖ କରିଥିଲେ। ସେହିପରି ସେଠାରେ ବିଶ୍ୱସ୍ତରୀୟ ସୁବିଧା ସହ ୨୫ ମିଟର ସୁଇମିଂ ପୁଲ୍ ନିର୍ମାଣ ପ୍ରସ୍ତାବ ମଧ୍ୟ ଦେଇଥିଲେ।ଏଥିସହ ପୂର୍ବରୁ ଅନୁମୋଦିତ ବ୍ଲକସ୍ତରୀୟ ଷ୍ଟାଡିୟମକୁ ଏକ ବିଶ୍ୱସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉନ୍ନୀତ କରିବାକୁ ଆବେଦନ କରାଯାଇଛି। ଏଥିରେ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା, ଅଧିକ କ୍ଷମତା ସମ୍ପନ୍ନ ଗ୍ୟାଲେରୀ, ବିଭିନ୍ନ କ୍ରୀଡ଼ା ସୁବିଧା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ମିଳିତ କରିବା ପ୍ରସ୍ତାବ ରହିଛି।
ସମାନ ପରିସର ମଧ୍ୟରେ ଏକ କ୍ରିକେଟ ପଡ଼ିଆ ସୃଷ୍ଟି କରିବାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ପାରାଦୀପକୁ ସ୍ପୋର୍ଟସ ହବ ଭାବେ ଗଢ଼ି ତୋଳିବା ମାଧ୍ୟମରେ ଗାଁ ଗାଁରୁ କ୍ରୀଡ଼ାବିତଙ୍କ ପ୍ରତିଭାକୁ ଏକ ଯଥାଯଥ ପ୍ଲାଟଫର୍ମ ମିଳିବ। ପାରାଦୀପ ଅଞ୍ଚଳର ଦୀର୍ଘଦିନର ଦାବି ପୂରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ମନ୍ତ୍ରୀ ସ୍ବାଇଁଙ୍କ ଉଦ୍ୟମରେ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ବିକାଶ ହେବା ସହ ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ଲକ୍ଷ୍ୟ ପୂରଣରେ ଏହା ମୁଖ୍ୟ ଭୂମିକା ନେବ ବୋଲି ଆଶା କରାଯାଉଛି।

