Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ୨୧ ଜଣ ପାକିସ୍ତାନୀ ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଏମଟି ସାଇରେନ – ୨ ଜାହାଜଟି ୧୧ ହଜାର ୩୫୦ ମେଟ୍ରିକ ଟନ ଅଶୌଧିତ ତୈଳ ସହ ପାରାଦୀପ ବନ୍ଦରରେ ପହଂଚିଛି।

ଜାହାଜରେ ଥିବା ୨୫ ଜଣିଆ ଚାଳକ ଦଳରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ୨ ଜଣ ଭାରତୀୟ, ଜଣେ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଥାଇଲ୍ୟାଣ୍ଡର ନାଗରିକ ଅଛନ୍ତି। ସମ୍ପୃକ୍ତ ଜାହାଜଟି ସମୁଦ୍ର ମଧ୍ୟରେ କୂଳଠାରୁ ୨୦ କିମି ଦୂର ପିଏମ ବର୍ଥରେ ଲଂଗର ପକାଇ ରହିଛି।ବୁଧବାର ପୂର୍ବାହ୍ନ ୧୧ଟାରେ ଦକ୍ଷିଣ କୋରିଆରୁ ସିଙ୍ଗାପୁର ଦେଇ ଜାହାଜଟି ପାରାଦୀପ ବନ୍ଦରରେ ପହଂଚିବା ପରେ ପାଇପଲାଇନ ଜରିଆରେ ଅଶୌଧିତ ତୈଳ ଜାହାଜରୁ ଡିପୋକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଜାହାଜଟି ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା ମିଳିଛି।

ଜାହାଜରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବାରୁ ପାରାଦୀପ ସାମୁଦ୍ରିକ ପୁଲିସ ସୁରକ୍ଷା କଡାକଡି କରିବା ସହ ସମୁଦ୍ରରେ ପାଟ୍ରୋଲିଂ ବଢ଼ାଇ ଦେଇଛି।ବିଦେଶ ମନ୍ତ୍ରଣାଳୟ ପାକିସ୍ତାନୀ ନାଗରିକଙ୍କର ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରିଥିବା ବେଳେ ସମ୍ପୃକ୍ତ ସଦସ୍ୟମାନେ ଦକ୍ଷିଣ କୋରିଆ ଜହାଜରେ କାମ କରୁଥିବାରୁ ସେମାନଙ୍କୁ ଭାରତୀୟ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ମିଳିଛି। ଅତିରିକ୍ତ ଆରକ୍ଷୀ ଅଦୀକ୍ଷାକ ସ୍ମୃତି ରଞ୍ଜନ କର କହିଛନ୍ତି ଯେ ଜହାଜରେ ଥିବା ପାକିସ୍ତାନୀଙ୍କୁ ଜହାଜରୁ ବାହାରକୁ ଆସିବାକୁ ଅନୁମତି ମିଳିନାହିଁ।

Leave a Reply

Your email address will not be published. Required fields are marked *