ନ୍ୟୁଜ ଡେସ୍କ: ପାରାସିଟାମଲ ସମେତ ୫୩ଟି ଔଷଧ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ସିଡିଏସସିଓ ତା’ର ମାସିକ ତାଲିକାରେ ପାରାସିଟାମଲ ସମେତ ମୋଟ ୫୩ଟି ଔଷଧ ଧାର୍ଯ୍ୟ ଗୁଣବତ୍ତା(ଏନଏସ୍କ୍ୟୁ)କୁ ପୂରଣ କରି ପାରୁ ନଥିବା ସତର୍କ କରାଇଛି।
ଡ୍ରଗ ରେଗୁଲେଟରଙ୍କ ଯାଞ୍ଚ ବେଳେ ଭିଟାମିନ ସି ଓ ଡି ୩ ଟ୍ୟାବଲେଟ୍ସ ଶେଲକା, ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ ସି ସୋଫଜେଲ୍ସ, ଆଣ୍ଟି ଏସିଡ ବା ଗ୍ୟାସ ବିରୋଧରେ ଦିଆଯାଉଥିବା ପାନ ଡି, ପାରାସିଟାମଲ ଟ୍ୟାବଲେଟ୍ସ ଆଇପି ୫୦୦ ଏମଜି, ଆଣ୍ଟି ଡାଇବେଟିକ୍ସ ଔଷଧ Glimepiride, ଉଚ୍ଚ ରକ୍ତଚାପ ପାଇଁ ଦିଆଯାଉଥିବା ଟେଲମିସାରଟନ ଭଳି ୫୩ଟି ଔଷଧ ଆବଶ୍ୟକ ଗୁଣବତ୍ତାର ମାନଦଣ୍ଡକୁ ପୂରଣ କରିପାରି ନାହାନ୍ତି। ଗୁଣବତ୍ତା ଯାଞ୍ଚରେ ଫେଲ ମାରିଥିବା ଔଷଧ ଗୁଡ଼ିକୁ ହେଟାରୋ ଡ୍ରଗ୍ସ, ଆଲକେମ ଲ୍ୟାବ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିଃ(ହାଲ), କର୍ଣ୍ଣାଟକା ଆଣ୍ଟିବାୟୋଟିକ୍ସ ଓ ଫାର୍ମାସିଟ୍ୟୁକାଲ୍ସ ଲିଃ, ମେଗ ଲାଇଫ ସାଇନ୍ସ, ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର ଏବଂ ଅନ୍ୟ କିଛି ସଂସ୍ଥା ତିଆରି କରନ୍ତି।
ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଥିବା ଔଷଧର ଦୁଇଟି ତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ୪୫ ଅତ୍ୟଧିକ ବ୍ୟବହୃତ ଔଷଧର ନାମ ରହିଛି। ସେହିପରି ଦ୍ୱିତୀୟ ତାଲିକାରେ ୫ଟି ଔଷଧ ଅନ୍ତର୍ଭୁକ୍ତ କରାଯାଇଛି।