ନ୍ୟୁଜ ଡେକ୍ସ :ପାରିବାରିକ କଳହର ଦୁଃଖଦ ପରିଣାମ ପୁଣି ଏକ ହୃଦୟବିଦାରକ ଘଟଣାକୁ ନେଇଆସିଛି। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଘଟିଥିବା ଏହି ମର୍ମାନ୍ତିକ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଡେଲାଙ୍ଗର ସଡଙ୍ଗଇ ଗ୍ରାମର ଜଣେ ମହିଳା ପ୍ରଥମେ ଶିଶୁକନ୍ୟାକୁ ଏକ ଗଛରେ ଝୁଲାଇ ଦେଇଥିବା ଏବଂ ପରେ ତାକୁ ଉଠାଇ ନିକଟସ୍ଥ ଗାଡିଆରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ଦେଖିଥିଲେ।
ପରେ ଘଟଣାସ୍ଥଳରୁ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା।ଅଭିଯୁକ୍ତ ମହିଳାଙ୍କ ମା’ ଦାବି କରିଛନ୍ତି ଯେ, ତାଙ୍କ ଝିଅକୁ ତା’ର ଶ୍ୱାଶୁଘର ଲୋକେ ଦୀର୍ଘଦିନ ଧରି ନିରନ୍ତର ନିର୍ଯାତନା ଦେଉଥିଲେ। ମନୋସିକ ଚାପରେ ପଡ଼ି ତାଙ୍କ ଝିଅ ଏପରି ବଡ଼ ଭୁଲ କରି ବସିଥିବା ନେଇ ସେ କହିଛନ୍ତି।ତେବେ ଅନ୍ୟପକ୍ଷରେ ଶିଶୁକନ୍ୟାର ବାପା ଓ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ସୁବାସ ବରାଳ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ସଂପୂର୍ଣ୍ଣ ରୂପେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ଶାଶୁଘର ଲୋକଙ୍କ ନିର୍ଯାତନା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି।
ଘଟଣା ପରେ ଅଭିଯୁକ୍ତ ମହିଳା ଫେରାର ଅଛନ୍ତି। ଡେଲାଙ୍ଗ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବା ପାଇଁ ଖୋଜାଖୋଜି ଜାରି ରଖିଛି। ଶିଶୁର ମୃତଦେହକୁ ମୟନାତଦନ୍ତ ପାଇଁ ପଠାଯାଇଛି।ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ପଡିଥିବା ବେଳେ ପରିବାରିକ କଳହକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଛି।

