ନ୍ୟୁଜ ଡେକ୍ସ: ଭାରସାମ୍ୟ ହରାଇ ରାତି ଅଧରେ ଓଲଟିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପିପିଲି ସିଫା ନିକଟରେ ଏହି ଦୁର୍ଘଟଣା ଘଟିଛି ।
ତେବେ ବସରେ ଥିବା ଯାତ୍ରୀ ମାନେ ବାଂଲାଦେଶୀ ବୋଲି ଜଣାପଡିଛି । ପ୍ରାୟ ୧୦୦ ଜଣ ତୀର୍ଥ ଯାତ୍ରୀ ଗତ ମାସ ୧୭ ତାରିଖରେ ଦୁଇଟି ବସରେ ବାଂଲାଦେଶ ଚଟ୍ଟୋଗ୍ରାମରୁ ବୃନ୍ଦାବନରୁ ପୁରୀ ଆସୁଥିଲେ । ହେଲେ ଉତ୍ତରା ଛକ ସ୍ଥିତ ସିଫା ନିକଟରେ ଦ୍ବିତୀୟ ବସର ଡ୍ରାଇଭର ବସ ଚଳାଉଥିବା ବେଳେ ତାଙ୍କ ଆଖି ଲାଗିଯାଇଥିଲା । ଫଳରେ ବସଟି ରାସ୍ତା କଡରେ ଥିବା ଏକ ଖାତକୁ ଖସିପଡ଼ିଥିଲା ।
ଏଥିରେ ଅଧାରୁ ଅଧିକ ବରିଷ୍ଠ ନାଗରିକ ଓ ପାଖାପାଖି ୧୭ଜଣ ଛୋଟ ପିଲା ଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସ୍ପିଟାଲ ପଠାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
