ନ୍ୟୁଜ ଡେକ୍ସ : ପ୍ରସିଦ୍ଧ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହୁଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଉଚ୍ଚ ରକ୍ତଚାପ ଓ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ବିକ୍ରମ ପଣ୍ଡା ହଠାତ୍ ଅଧିକ ରକ୍ତଚାପ ଓ ଅସ୍ଥିରତା ଅନୁଭବ କରିବା ପରେ ଜେଲ ପ୍ରଶାସନ ତାଙ୍କୁ ତୁରନ୍ତ ମେଡିକାଲ ପରୀକ୍ଷା ପାଇଁ ପଠାଇଥିଲା।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲରୁ ସିଧା MKCG ମେଡିକାଲକୁ ନେଇ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କୁ ଚିକିତ୍ସା ଦିଆଯାଉଥିବା ସହ କଡ଼ା ପୋଲିସ ପହରା ବ୍ୟବସ୍ଥା କରାଯାଇଛି।ଉଲ୍ଲେଖନୀୟ ଯେ, ଗତ ବର୍ଷ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା, ଯାହା ରାଜ୍ୟ ଜୁଡ଼ା ଆତଙ୍କ ସୃଷ୍ଟି କରିଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାକୁ ୨୦୨୫ ଅକ୍ଟୋବର ୨୨ ତାରିଖରେ ପୋଲିସ ଗିରଫ କରିଥିଲା। ସେଠାରୁ ସେ ବ୍ରହ୍ମପୁର ଜେଲରେ ବନ୍ଦୀ ରହିଥିଲେ। ଗତ ଜାନୁଆରୀ ୪ ତାରିଖରେ ପୋଲିସ ଏହି ହତ୍ୟା ମାମଲାରେ ପ୍ରାୟ ୩୦ ହଜାର ପୃଷ୍ଠାର ଏକ ବିଶାଳ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି।
ଏହି ମାମଲାରେ ବିକ୍ରମ ପଣ୍ଡାଙ୍କ ସହ ମୋଟ ୧୬ ଜଣ ଅଭିଯୁକ୍ତ ଥିବା ବେଳେ, ତଦନ୍ତକାରୀ ଏଜେନ୍ସି ଘଟଣାର ପ୍ରତ୍ୟେକ ଦିଗକୁ ଗଭୀର ଭାବେ ଖୋଜାଖୋଜି କରିଥିବା ଦାବି କରିଛି।ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ଡାକ୍ତରମାନେ ତାଙ୍କ ଉପରେ ଲଗାତାର ନିରୀକ୍ଷଣ କରୁଛନ୍ତି। ଏହି ମାମଲା ଏବେ ବି ନ୍ୟାୟିକ ପ୍ରକ୍ରିୟା ମଧ୍ୟରେ ରହିଥିବାରୁ, ସମଗ୍ର ଘଟଣା ଉପରେ ରାଜ୍ୟର ଆଇନ ଓ ଶୃଙ୍ଖଳା ପ୍ରଶାସନର ନଜର ରହିଛି।

