ନ୍ୟୁଜ ଡେକ୍ସ : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତାବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଦୀର୍ଘ ତଦନ୍ତ ପରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍ରେ ହତ୍ୟା ସହ ସଂପୃକ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଓ ତଥ୍ୟ ସାମିଲ ହୋଇଛି।ଚାର୍ଜସିଟ୍ରେ ବାଲିଷ୍ଟିକ୍ ରିପୋର୍ଟ, ଫୋରେନସିକ ତଥ୍ୟ, ଅଭିଯୁକ୍ତମାନଙ୍କ ମଧ୍ୟରେ ହୋଇଥିବା କଲ୍ ଡିଟେଲ୍ସ, ସିସିଟିଭି ଫୁଟେଜ୍, ହତ୍ୟା ପାଇଁ ଦିଆଯାଇଥିବା ସୁପାରି ଟଙ୍କାର ଆର୍ଥିକ କାରବାର ଓ ବହୁ ସଂଖ୍ୟକ ସାକ୍ଷୀଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀକୁ ଗୁରୁତ୍ୱ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତାବାସ ପଣ୍ଡା ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ବାଇକ୍ ଆରୋହୀ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଲାରେ ପୋଲିସ ମୋଟ ୧୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓ କର୍ପୋରେଟର ମଳୟ ବିଷୋୟୀଙ୍କ ନାମ ରହିଛି। ଏମାନଙ୍କୁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି।
ହତ୍ୟାର ମୁଖ୍ୟ ସୁଟର ଭାବେ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କ ନାମ ଚାର୍ଜସିଟ୍ରେ ଉଲ୍ଲେଖ ହୋଇଛି।ପୋଲିସ ତଦନ୍ତ ଅନୁଯାୟୀ, ଏହା ଏକ ସୁଯୋଜିତ ‘ସୁପାରି କିଲିଂ’ ଥିଲା। ପୀତାବାସ ପଣ୍ଡା ବିଭିନ୍ନ ଆଇନଗତ ମାମଲା ମାଧ୍ୟମରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଉଥିବାରୁ ତାଙ୍କୁ ହଟାଇବା ପାଇଁ ୮ରୁ ୧୦ ଲକ୍ଷ ଟଙ୍କାର ସୁପାରି ଡିଲ୍ ହୋଇଥିଲା। ପ୍ରଥମେ ବିହାରରୁ ସୁଟର ଆଣିବାକୁ ଯୋଜନା ହୋଇଥିଲେ ମଧ୍ୟ ପରେ ସ୍ଥାନୀୟ ଅପରାଧୀଙ୍କୁ ବ୍ୟବହାର କରାଯାଇଥିଲା।ଚାର୍ଜସିଟ୍ ଦାଖଲ ପରେ ଏବେ ମାମଲା ବିଚାର ପର୍ଯ୍ୟାୟକୁ ଯିବାକୁ ଯାଉଛି। ଶାସକ ଦଳ ଏହାକୁ ନିରପେକ୍ଷ ଓ ସଠିକ୍ ତଦନ୍ତର ପରିଣାମ ବୋଲି କହୁଥିବା ବେଳେ ବିରୋଧୀ ଦଳ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରୁଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

