ନ୍ୟୁଜ ଡେକ୍ସ : ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଦୁଇଦିନିଆ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କ ଆଗମନ ପୂର୍ବରୁ ଭାରତ–ଋଷ ସମ୍ପର୍କକୁ ଆହୁରି ମଜବୁତ କରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଋଷ ସଂସଦର ନିମ୍ନକକ୍ଷ ‘ଷ୍ଟେଟ୍ ଡୁମା’ ଭାରତ ସହିତ ସାକ୍ଷରିତ ‘ରେସିପ୍ରୋକଲ ଏକ୍ସଚେଞ୍ଜ ଅଫ୍ ଲଜିଷ୍ଟିକ୍ ସପୋର୍ଟ’ ବା ‘ରେଲୋସ୍’ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି।ଏହି ଚୁକ୍ତି ଚଳିତ ବର୍ଷ ଫେବୃଆରୀ ୧୮ ତାରିଖ, ୨୦୨୫ରେ ସାକ୍ଷର ହୋଇଥିଲା।
ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ଦ୍ୱାରା ଏହାକୁ ଡୁମାରେ ଆଗତ କରାଯାଇଥିଲା, ଯାହାକୁ ବର୍ତ୍ତମାନ ଅନୁମୋଦନ ମିଳିଛି।‘ରେଲୋସ୍’ ଚୁକ୍ତି ଅନୁସାରେ ଭାରତ ଓ ଋଷ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ, ସୈନ୍ୟ ତାଲିମ, ଲଜିଷ୍ଟିକ୍ ସହଯୋଗ, ମାନବୀୟ ସହାୟତା ଓ ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଗମ କରାଯିବ। ଏହି ଚୁକ୍ତି ମାଧ୍ୟମରେ ଦୁଇ ଦେଶର ସୈନ୍ୟ ଓ ସାମରିକ ସାମଗ୍ରୀର ମୁତୟନ ସହିତ ସେମାନଙ୍କର ଲଜିଷ୍ଟିକ୍ ବ୍ୟବସ୍ଥାକୁ ମଧ୍ୟ ଅଧିକ ସଂଗଠିତ କରାଯିବ। ଷ୍ଟେଟ୍ ଡୁମାର ଅଧ୍ୟକ୍ଷ ଭୟାଚେସ୍ଲାଭ ଭୋଲୋଡିନ୍ କହିଛନ୍ତି ଯେ, “ଭାରତ ଓ ଋଷ ମଧ୍ୟରେ ସମ୍ପର୍କ ରଣନୈତିକ ଏବଂ ବ୍ୟାପକ ରୂପରେ ମଜବୁତ।
‘ରେଲୋସ୍’ ଚୁକ୍ତି ଦୁଇ ଦେଶର ପାରସ୍ପରିକ ସାମରିକ ଅଭ୍ୟାସ ଓ ମାନବୀୟ ସହଯୋଗକୁ ନୂଆ ଦିଗ ଦେବ।”ଉଲ୍ଲେଖନୀୟ ଯେ, ଋଷ ହେଉଛି ପ୍ରଥମ ଦେଶ, ଯିଏ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନା ସହ ମିଳିତ ସମରାଭ୍ୟାସ କରିଥାଏ, ଯାହା ‘ଇନ୍ଦ୍ରା’ ନାମରେ ପରିଚିତ। ପୁଟିନଙ୍କ ଆସନ୍ତା ଭାରତ ଗସ୍ତ ପୂର୍ବରୁ ଏହି ଚୁକ୍ତିର ମଞ୍ଜୁରୀ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

