Sat. Feb 21st, 2026

ନ୍ୟୁଜ ଡେକ୍ସ : ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ସ୍ବାଭାବିକକୁ ଫେରିବା ଆରମ୍ଭ କରିଥିବା ବେଳେ ଶୁକ୍ରବାର ରାତିରେ ପୁଣି ଶୀତର ପ୍ରକୋପ ବଢ଼ିଛି। ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ରାତିର ପାରଦସ୍ତର ଆଖିଦୃଶିଆ ଭାବେ ତଳକୁ ଖସିଛି। ଉତ୍ତର ଆଭ୍ୟନ୍ତର ଓଡ଼ିଶା, ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି।

ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୬ ଡିଗ୍ରି କମ୍ ରହିଛି। ଶୁକ୍ରବାର ରାତିରେ ରାଜ୍ୟର ୭ଟି ସହରରେ ପାରଦସ୍ତର ୧୦ ଡିଗ୍ରି ତଳକୁ ଖସିବା ରେକର୍ଡ ହୋଇଛି, ଯାହା ଶୀତର ତୀବ୍ରତାକୁ ସ୍ପଷ୍ଟ କରୁଛି।ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୫.୬ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି। ଏହା ସହିତ ରାଉରକେଲାରେ ୭.୬ ଡିଗ୍ରି, ଝାରସୁଗୁଡ଼ାରେ ୮.୮ ଡିଗ୍ରି, ସେମିଳିଗୁଡ଼ାରେ ୯.୬ ଡିଗ୍ରି, କିରେଇରେ ୯.୭ ଡିଗ୍ରି ଓ ସୁନ୍ଦରଗଡ଼ ଓ ଫୁଲବାଣୀରେ ୧୦ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ରାତି ପାରଦସ୍ତର କ୍ରମେ ବୃଦ୍ଧି ପାଉଛି।

ଦ୍ବୈତନଗରୀ କଟକ ଓ ରାଜଧାନୀ ଭୁବନେଶ୍ବରରେ ରାତିର ତାପମାତ୍ରା ସ୍ବାଭାବିକ ରହିଛି। କଟକର ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରି ଓ ଭୁବନେଶ୍ବରରେ ୧୭.୭ ଡିଗ୍ରି ରେକର୍ଡ ହୋଇଛି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତାପରେ ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ବର୍ତ୍ତମାନ ରାଜ୍ୟର ପାଗ ଦିନରେ ଶୁଖିଲା ଓ ଖରାଟିଆ ରହୁଛି। କିଛି କିଛି ସ୍ଥାନରେ ରାତି ଓ ସକାଳୁ କୁହୁଡ଼ି ପଡ଼ୁଛି ଓ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିପାରେ। ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି।ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଗାମୀ ଦିନରେ ଭୁବନେଶ୍ବରର ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ୧୭ ଡିଗ୍ରି ଚାରିପାଖରେ ରହିପାରେ।

Leave a Reply

Your email address will not be published. Required fields are marked *