ନ୍ୟୁଜ ଡେକ୍ସ: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଆସନ୍ତା ଦୁଇ ଦିନ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ତିନି ଦିନ ତଳେ ଲଗାଣ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି ।
କଟା ହୋଇ ଜମିରେ ପଡ଼ିଥିବା ଧାନ ଅଧିକ କ୍ଷତି ହୋଇଛି । ଅଦିନିଆ ବର୍ଷା ଅନେକ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହି ଦୁଃଖରୁ ଚାଷୀ ବାହାରି ନ ଥିବା ବେଳେ ଆଗକୁ ପୁଣି ବିପଦ ଆସୁଛି । ମଙ୍ଗଳବାରଠାରୁ ବର୍ଷା ପୁଣି ନାକେଦମ୍ କରିବ । ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ବୌଦ୍ଧ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ବୁଧବାର ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁଣି ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ଆକଳନ କରାଯାଇଛି । ଦୁଇ ଦିନ ବର୍ଷା ଥିବାରୁ ପାଣିପାଗ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ନେବାକୁ ଏସ୍ଆରସି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ କଟକର କଣ୍ଟାପଡ଼ାରେ ସର୍ବାଧିକ ୪୫ ମି.ମି., ଜଗତସିଂହପୁରରେ ୨୭, ଗଞ୍ଜାମର ହିଞ୍ଜିଳିରେ ୨୫ , ପାତ୍ରପୁରରେ ୨୪ ଏବଂ କେନ୍ଦ୍ରାପଡ଼ାର ରାଜକନିକାରେ ୨୩ ମି.ମି. ବର୍ଷା ହୋଇଛି। ଏଥିସହିତ ରାଜ୍ୟରେ ବର୍ଷା ପ୍ରଭାବରେ ଶୀତ କମିଛି। ସେମିଳିଗୁଡ଼ାରେ ୧୦.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଛି। ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
