ନ୍ୟୁଜ ଡେକ୍ସ: ଅଶାନ୍ତ ହୋଇଛି ମଣିପୁର । ଉତ୍ତେଜନା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଇଣ୍ଟରନେଟ୍ ସେବା ଠପ୍ ହୋଇଛି । ମୈତେଇ ସମ୍ପ୍ରଦାୟର ନେତାଙ୍କୁ ଗିରଫ ପରେ ଉତ୍ତେଜନା ପ୍ରକାଶ ପାଇଛି । ଏହାପରେ ମଣିପୁରରେ ୫ ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ ହୋଇଛି ।
ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ କର୍ଫ୍ୟୁ ଲାଗୁ ହୋଇଛି । ମୈତେଇ ସମ୍ପ୍ରଦାୟର ନେତା ଆରାମ୍ବାଇ ତେଙ୍ଗଗୋଲଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି । ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ବିଭାଗର ସଚିବ ଏନ୍ ଅଶୋକ କୁମାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ମଣିପୁରର ଉକ୍ତ ୫ଟି ଜିଲ୍ଲା ହେଲା ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, ବିଷ୍ଣୁପୁର ଏବଂ କକଚିଙ୍ଗ । ମୈତେଇ ନେତାଙ୍କୁ ଗିରଫ ପରେ ମଣିପୁରରେ ସ୍ଥିତି ବିଗିଡ଼ି ଯାଇଛି ।
ଯାହା ପରେ ଲୋକମାନେ ପ୍ରତିବାଦ କରିବାକୁ ଯାଇ ରାସ୍ତାରେ ଟାୟାର ଏବଂ ପୁରୁଣା ଫର୍ଣ୍ଣିଚର ଜାଳି ଉତ୍ତେଜନାକୁ ବଢାଇଥିଲେ । ତେଣୁ ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି ହେବା ସହ ଇଣ୍ଟରନେଟ ଓ ମୋବାଇଲ ଡାଟା ସେବାକୁ ୫ ଦିନିଆ ସସପେଣ୍ଡ କରାଯାଇଛି ।ଅନ୍ୟପଟେ, ଲାଗୁ ହୋଇଥିବା ନିର୍ଦ୍ଦେଶକୁ ଉଲ୍ଲଂଘନ କରିଲେ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ସ୍ପଷ୍ଟ କରିଛି ।