ନ୍ୟୁଜ ଡେକ୍ସ: ଶୁକ୍ରବାରଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ପୂର୍ବାନୁମାନ କରି ରତ୍ନଭଣ୍ଡାର ମରାମତି କାମକୁ ଗତ ମାସ ୨୪ ତାରିଖଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରଦ୍ଧାଳୁଙ୍କ ଭିଡ଼ କମି ଯାଇଥିବାରୁ ୩ ତାରିଖରୁ ପୁନଶ୍ଚ ସରକାରଙ୍କ ଦ୍ୱାରା ଜାରି ଏସ୍ଓପି ମୁତାବକ ଏଏସ୍ଆଇ ରତ୍ନଭଣ୍ଡାର କାମ କରିବ ।
ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଜାନୁଆରୀ ୩ ତାରିଖ ଅର୍ଥାତ୍ ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯଥା ରିତିରେ ଚାଲିବ। ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ପଥରରେ ଫାଟ ହୋଇଛି। ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ। ପରେ ଲୁହା ବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ ଲଗାଯିବ।ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାରର ବାହାର ପଟ ମରାମତି କରାଯିବ।
ଦ୍ୱିତୀୟ ଭୋଗମଣ୍ଡପ ପରେ ମରାମତି କାମ ହେବ। ଏହି ସମୟରେ ଭିତରକାଠ ଦର୍ଶନ ବନ୍ଦ ରହିବ। ସୂଚନାଥାଉକି, ପ୍ରତିଦିନ ସାଢ଼େ ୧୨ଟା ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରି ଏହା ପରଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍ଆଇକୁ ମରାମତି କାମ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୩ ମାସ ଭିତରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ସାରିବାକୁ ଏଏସ୍ଆଇ ସମୟ ନେଇଛି ।