ନ୍ୟୁଜ ଡେକ୍ସ : ପୁଣି ରାଜ୍ୟକୁ ଫେରିଛି ଶୀତ। ବିଶେଷକରି କନ୍ଧମାଳ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଥଣ୍ଡାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ୧୯ ତାରିଖଠାରୁ ପାରଦ ପୁଣି ଖସିବାରେ ଲାଗିଥିବାବେଳେ ବର୍ତ୍ତମାନ ୧୫ଟି ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିଅସ୍ ତଳେ ରହିଛି। ସେଥିମଧ୍ୟରୁ ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ ଖସିଯାଇଛି।ମଙ୍ଗଳବାର ରାତିରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ସବୁଠୁ କମ୍ ରାତି ତାପମାତ୍ରା ୮.୬ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି, ଯାହା ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ଭାବେ ରେକର୍ଡ ହୋଇଛି।
ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ, ରାଉରକେଲାରେ ୧୦.୧, ଝାରସୁଗୁଡ଼ାରେ ୧୦.୪, ଫୁଲବାଣୀରେ ୧୨, କେନ୍ଦୁଝରରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, ବାରିପଦାରେ ୧୨.୬, କୋରାପୁଟରେ ୧୩.୨, ଭବାନୀପାଟଣା ଓ ନବରଙ୍ଗପୁରରେ ୧୩.୮ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।ସେହିପରି ଭଦ୍ରକରେ ୧୪, ଢେଙ୍କାନାଳରେ ୧୪.୧, ରାୟଗଡ଼ାରେ ୧୪.୪, କଟକରେ ୧୪.୬, ସମ୍ବଲପୁରରେ ୧୫.୨ ଓ ବଲାଙ୍ଗିରରେ ୧୫.୫ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାତି ତାପମାତ୍ରା ୧୬ ଡିଗ୍ରୀ ସେଲସିଅସ୍ ରହିଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ଧରି ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ଖସିବା ସହ ଥଣ୍ଡା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।ହଠାତ୍ ଥଣ୍ଡା ବଢ଼ିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବାବେଳେ, ବିଶେଷକରି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଲୋକେ ଭିଷଣ ଶୀତର ସମ୍ମୁଖୀନ ହେଉଛନ୍ତି। ରାତି ବେଳେ ଶୀତ ପ୍ରବଳ ହେଉଥିବାରୁ ଲୋକଙ୍କୁ ସତର୍କ ରହିବା ଓ ଗରମ ବସ୍ତ୍ର ବ୍ୟବହାର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

