ନ୍ୟୁଜ ଡେକ୍ସ : ଆଜି ପବିତ୍ର ଦେବ ଦୀପାବଳୀର ଦ୍ବିତୀୟ ଦିବସ। ବୁଧବାର ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁ ଶ୍ରୀଜୀଉଙ୍କ ଦେବଦୀପାବଳୀ ନୀତି ଶ୍ରୀକ୍ଷେତ୍ରକୁ ଭକ୍ତିମୟ ପରିବେଶରେ ଭରିଦେଇଛି। ତିନିଦିନ ଧରି ଚାଲୁଥିବା ଏହି ବିଶେଷ ଶ୍ରାଦ୍ଧନୀତିରେ ମହାପ୍ରଭୁ ନିଜ ପିତୃପୁରୁଷଙ୍କ ସ୍ମୃତିରେ ଦୀପଦାନ ଓ ଶ୍ରାଦ୍ଧ ଅର୍ପଣ କରନ୍ତି।ଗତକାଲି ଚତୁର୍ଦ୍ଦଶୀ ଦିନରେ ମହାପ୍ରଭୁ ଅଦିତି ଓ କଶ୍ୟପ ମୁନିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥିଲେ। ଆଜି ମହୋଦଧି ଅମାବାସ୍ୟାରେ ତ୍ରେତା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ପ୍ରତି ଶ୍ରାଦ୍ଧ ଅର୍ପଣ କରିବେ।
ବାମନ, ପର୍ଶୁରାମ, ରାମ, ବଳରାମ, କୃଷ୍ଣ, ଜଗନ୍ନାଥ ଓ ପୁରୁଷୋତ୍ତମ ଚତୁର୍ଦ୍ଧାମୂର୍ତ୍ତି ଭାବରେ ନିଜର ପିତାମାତାଙ୍କୁ ମହାପ୍ରଭୁ ଶ୍ରାଦ୍ଧ ଦେଇଥାନ୍ତି। ନିଜ ସହଧର୍ମିଣୀମାନଙ୍କ ସହ ତିନିଦିନ ଧରି ଏହି ପବିତ୍ର ଦେବ ଦୀପାବଳୀ ପାଳନ କରାଯାଏ, ଯାହାକୁ ଶ୍ରାଦ୍ଧ ବେଶ ବୋଲି କୁହାଯାଏ।ଏହି ବିଶେଷ ଅବସରରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରନ୍ତି। ଠାକୁରମାନେ ଧଳା ବସ୍ତ୍ର ପରିଧାନ କରିଥାନ୍ତି, କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡିର ରଙ୍ଗ ଭିନ୍ନ ହୋଇଥାଏ। ସହ ପରିବେଶରେ ସାଧା ବେଶ ମଧ୍ୟ ପ୍ରଦର୍ଶିତ କରାଯାଏ।
ଏହି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନମାନେ ଆଜି ସନ୍ଧ୍ୟାରେ ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ପ୍ରଜ୍ୱଳିତ କରିବେ। ସମଗ୍ର ବଡଦାଣ୍ଡ ଦୀପ ଆଲୋକରେ ଉଜ୍ଜ୍ୱଳ ହୋଇଉଠିବ, ପବିତ୍ରତା, ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ଘଟିବ।ଦେବ ଦୀପାବଳୀକୁ ନେଇ ଶ୍ରୀକ୍ଷେତ୍ରରେ ଏବେ ଭକ୍ତି, ଶ୍ରଦ୍ଧା ଓ ପରମ୍ପରାର ଜଗମଗାହଟି ପ୍ରବାହିତ ହେଉଛି।

