ନ୍ୟୁଜ ଡେକ୍ସ : ଡିସେମ୍ବର ୨୫ ତାରିଖରୁ ପୁରୀରେ ଭକ୍ତଙ୍କ ଭିଡ ଦ୍ରୁତ ଭାବେ ବଢୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ଶ୍ରୀମନ୍ଦିରରେ ନିତ୍ୟଦିନ ନାହିଁ ନଥିବା ଗହଳି ଦେଖାଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡ଼ିଶା ସହ ବିଭିନ୍ନ ରାଜ୍ୟରୁ ଆସୁଥିବା ଭକ୍ତମାନେ ପୁରୀକୁ ପହଞ୍ଚୁଥିବାରୁ ସହର ସାରା ଚଞ୍ଚଳତା ବଢିଯାଇଛି।
ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭିଡ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପରିସର ଓ ଆଖପାଖ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଭିଡ ଏବଂ ଟ୍ରାଫିକ ଜାମ ରୋକିବାକୁ ମନ୍ଦିରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାପକ ବ୍ୟାରିକେଡିଂ କରାଯାଇଛି।ପ୍ରଶାସନ ଅନୁମାନ କରୁଛି ଯେ, ଏହି ଭିଡ ଜାନୁଆରୀ ୧ ତାରିଖ ନୂଆବର୍ଷ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟରେ ଅସାମାଜିକ ଆଚରଣ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରାଯାଇଛି।
ଶାନ୍ତି ଓ ଶୃଙ୍ଖଳା ରଖି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମିରେ ମଧ୍ୟ ସତର୍କତା ଅବଳମ୍ବନ କରିବାକୁ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଇଛି। ନୂଆବର୍ଷ ଦିନ ପୁରୀରେ ପାଖାପାଖି ୪ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରହିଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ସୁରକ୍ଷା ବାହିନୀ ନିୟୋଜିତ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।

