ନ୍ୟୁଜ ଡେକ୍ସ :ପୁରୀ ବଳଗଣ୍ଡି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ଏକ ବୋଲେରୋ ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିବାରୁ ସ୍କୁଟିରେ ଥିବା ତିନି ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି, ଯେତେବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ମୃତ ନାବାଳକ ଜଣକ କୁମୁଟି ସାହିର ନୀରଞ୍ଜନ ଦେଙ୍କ ପୁଅ ଶ୍ରେୟାନ୍ସ ବୋଲି ଚିହ୍ନଟ ହୋଇଛି।
ଗୁରୁତର ଆହତଙ୍କ ମଧ୍ୟରେ ମୃତ ନାବାଳକର ଜେଜେ ନୀଳକଣ୍ଠ ଦେ ଓ ଅନ୍ୟ ଜଣେ ନାବାଳକ ରାଜା ସାହୁ ରହିଛନ୍ତି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୁରୀ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଶ୍ରେୟାନ୍ସଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଅନୁଯାୟୀ, ନୀଳକଣ୍ଠ ଦେ ତାଙ୍କ ନାତି ଓ ଅନ୍ୟ ଜଣେ ସମ୍ପର୍କୀୟ ନାବାଳକକୁ ସ୍କୁଟିରେ ନେଇ ଜଳଖିଆ ଆଣିବାକୁ ଯାଉଥିବାବେଳେ ବଳଗଣ୍ଡି ଛକରେ ଦୁର୍ଘଟଣା ଘଟିଥିଲା। ବୋଲେରୋ ଗାଡ଼ିଟି ପ୍ରଥମେ ଏକ ସାଇକେଲକୁ ଧକ୍କା ଦେଇଥିଲା ଏବଂ ପରେ ସ୍କୁଟିକୁ ଧକ୍କା ଦେଇ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା।
ଘଟଣାର ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭରକୁ କୁମ୍ଭାରପଡ଼ା ଥାନା ପୁଲିସ ଅଟକ ରଖିଛି। ଡ୍ରାଇଭର ନିଶା ସେବନ କରି ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି।ନାବାଳକର ମୃତ୍ୟୁ ପରେ ପୁରୀ ମେଡିକାଲରେ ଏକ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ମଧ୍ୟରେ ନୂଆବର୍ଷ ଉପଲକ୍ଷେ ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ଥିବା ସତ୍ତ୍ୱେ ବଳଗଣ୍ଡି ଛକକୁ ବୋଲେରୋ ଗାଡ଼ି କିପରି ପ୍ରବେଶ କଲା, ତାହାକୁ ନେଇ ସାଧାରଣରେ ଗଭୀର ପ୍ରଶ୍ନ ଉଠିଛି।

