ନ୍ୟୁଜ ଡେକ୍ସ : ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହ ପୁରୀକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନ କରିବାକୁ ଯାଉଥିବା ବେଳେ ସୋମବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିବାରୁ ବଞ୍ଚିଯାଇଛି।
ସୂଚନା ଅନୁଯାୟୀ, ଚୈତନ୍ୟ ଛକ ସମ୍ମୁଖ ସମୁଦ୍ର ତଟରେ ସ୍ନାନ କରୁଥିବା ସମୟରେ ୪ ଜଣ ପର୍ଯ୍ୟଟକ ହଠାତ୍ ଏକ ବଡ଼ ଲହଡିରେ ଭାସି ସମୁଦ୍ର ଭିତରକୁ ବୁଡ଼ିଯାଇଥିଲେ। ଏହା ଦେଖି ସେଠାରେ ନିଯୁକ୍ତ ଥିବା ଲାଇଫଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଲମ୍ଫ ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ଲାଇଫଗାର୍ଡଙ୍କ ସାହସିକ ପଦକ୍ଷେପ ଯୋଗୁଁ ୪ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣାଯାଇଥିଲା।
ଉଦ୍ଧାର ହୋଇଥିବା ସମସ୍ତ ୪ ଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ସୂଚନା ମିଳିଛି। ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଛି।ଏହି ଘଟଣା ପରେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ସମୟରେ ଅଧିକ ସାବଧାନ ରହିବା ଏବଂ ଲାଇଫଗାର୍ଡଙ୍କ ନିର୍ଦ୍ଦେଶ ମାନିବାକୁ ପୁରୀ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

