ନ୍ୟୁଜ ଡେକ୍ସ: ଯଦି ଆପଣ ନିଜର ପୁରୁଣା କାର ବିକ୍ରୀ କରି ସେହି ଟଙ୍କାରେ ଏକ ନୂଆ କାର କିଣିବାକୁ ଭାବୁଛନ୍ତି କି। ତେବେ ଏହା ଆପଣଙ୍କ ଚିନ୍ତାଜନକ ଖବର। କାରଣ ପୁରୁଣା ଗାଡିର ବିକ୍ରୀ ଉପରେ ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି। ତେବେ ସଠିକ୍ ଭାବରେ କହିବାକୁ ଗଲେ ବ୍ୟବହୃତ କାର କିଣିବା ପାଇଁ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହାର ପ୍ରଭାବ ବୈଦ୍ୟୁତିକ କାର ଉପରେ ମଧ୍ୟ ଦେଖିବାକୁ ମିଳିବ।
କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ଅନ୍ତର, ଯାହାକୁ ମାର୍ଜିନ ବୋଲି କୁହାଯାଇଥାଏ ତାହା ଉପରେ ଏହି ଟିକସ ଲାଗୁ ହେବ । ବ୍ୟକ୍ତିଗତ ବିକ୍ରେତା ତଥା କ୍ରେତାଙ୍କ ଉପରେ ପରିବର୍ତ୍ତିତ ଟିକସ ହାରର ପ୍ରଭାବ ପଡ଼ିବ ନାହିଁ । ସେମାନଙ୍କ ପାଇଁ ୧୨% ଟିକସ ଜାରି ରହିବ । ଅର୍ଥାତ୍ ବ୍ୟକ୍ତିଗତ ଭାବେ ପୁରୁଣା ଗାଡ଼ି କ୍ରେତା ତଥା ବିକ୍ରେତାଙ୍କ ଉପରେ ଜିଏସ୍ଟି ବୃଦ୍ଧିର କୌଣସି ପ୍ରଭାବ ପଡ଼ିବ ନାହିଁ । ଗତକାଲ ରାଜସ୍ଥାନର ଜୈସଲ୍ମରଠାରେ ଆୟୋଜିତ ପରିଷଦର ୫୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ନୂଆ ଇଭି କ୍ରୟ ଉପରେ ୫% ଟିକସ ଲାଗିବ । ପୁରୁଣା ଇଭି ଉପରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କଲେ କୌଣସି ଜିଏସ୍ଟି ଲାଗିବ ନାହିଁ । କିନ୍ତୁ ଯଦି କୌଣସି କମ୍ପାନି ଏହାକୁ କିଣିଥାଏ ତେବେ ମାର୍ଜିନ ଉପରେ ୧୮% ଟିକସ ଲାଗିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ବୈଠକରେ ଆହୁରି ଅନେକ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ କ୍ଷେତ୍ର ଯେପରି ରିଟେଲରମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଗିଫ୍ଟ ଭାଉଚରକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି । ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଟିକସ ହ୍ରାସ ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏ ବିଷୟରେ ମନ୍ତ୍ରୀଗୋଷ୍ଠୀ ବୈଠକରେ ସହମତି ପ୍ରକାଶ ପାଇନାହିଁ । ତେବେ ଏହା କେବଳ ପେଟ୍ରୋଲ-ଡିଜେଲ ବ୍ୟବହାର ହେଉଥିବା କାର ସହ ନୁହେଁ ବରଂ ଏହାର ପ୍ରଭାବ ସିଏନଜି ଏବଂ ବୈଦ୍ୟୁତିକ ଯାନ ଉପରେ ମଧ୍ୟ ଦେଖିବାକୁ ମିଳିବ। ଏହାର ଅର୍ଥ ଯଦି ଆପଣ ଏକ ପୁରୁଣା ଇଭି ମଧ୍ୟ କିଣନ୍ତି ତେବେ ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ।