ନ୍ୟୁଜ ଡେକ୍ସ: ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ହେବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ନିକଟରେ ମଧ୍ୟ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦେହ ଅସୁସ୍ଥ ହୋଇଥିଲା । ଓଡ଼ିଶାର ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି ।
ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥତାବଶତଃ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶ୍ବଭୂଷଣଙ୍କୁ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଯେ, ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ । ୧୯୭୧ ମସିହାରେ ଭାରତୀୟ ଜନସଂଘର ଜଣେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ । ଏହାପରେ ୧୯୭୭ ମସିହାରେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏମିତିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗୃହବନ୍ଦୀ ହୋଇଥିଲେ । ୧୯୭୭ରେ ମଧ୍ୟ ଜନତା ପାର୍ଟିର ଟିକେଟରେ ଚିଲିକା ବିଧାନସଭା ନିର୍ବାଚନ ଲଢିଥିଲେ, ଆଉ ବିଜୟୀ ବି ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକେଟରେ ଚିଲିକାରୁ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
୧୯୯୬ରେ ବିଜେପିରେ ସାମିଲ ହୋଇଥିଲେ । ପରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚନ ହୋଇଥିଲା । ଆଉ ନବୀନ ପଟ୍ଟାନୟକଙ୍କ କ୍ୟାବିନେଟ୍ରେ ଆଇନ, ଅବକାରୀ ଆଦି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଶେଷରେ ୨୦୧୯ରେ ଆନ୍ଧ୍ରପ୍ରଦେଶରେ ୨୩ ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପରେ ୨୦୨୩ରେ ଛତିଶଗଡ଼ର ୭ମ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।
