Sat. Feb 21st, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରବିବାର ଆତ୍ମାହୁତି ସ୍ଥଳରେ ତଦନ୍ତ କରିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦୁଇ ଅଧିକାରିଣୀ ଥିବାବେଳେ ଡିଜି ତଦନ୍ତ ରିପୋର୍ଟ ଯାଞ୍ଚ କରିଥିଲେ । ପ୍ରିନ୍ସିପାଲ ଚ୍ୟାମ୍ବରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ଡିଜି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲେଶ୍ବର ପୀଡିତାଙ୍କୁ ନେଇ ତଦନ୍ତ ସମୟରେ ଅନେକ ସାମଗ୍ରୀ ହସ୍ତଗତ ହୋଇଛି । ଏହି ସବୁ ସାମଗ୍ରୀକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରକୁ ପଠାଯାଇଛି । ଆମେ ଅନେକଗୁଡ଼ିକ ତଥ୍ୟ ସଂଗ୍ରହ କରିଛୁ । ଆମ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲା ସଠିକ ତଦଦ୍ତ ହେବ । ଝିଅକୁ ନ୍ୟାୟ ମିଳିବ । ଡିଜି ଆହୁରି କହିଛନ୍ତି, କ୍ରାଇମବ୍ରାଞ୍ଚ ଆଇଜି ଏସ୍ ସାଇନିଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି । ବର୍ତ୍ତମାନ ତଦନ୍ତର ରିପୋର୍ଟ ଯାହା ଅଛି, ସେନେଇ କୌଣସି ତଥ୍ୟ ପ୍ରକାଶ କରାଯିବ ନାହିଁ । ଡିଜିଟାଲ ମିଡିଆରେ ଯେଉଁ ବୟାନ ଆସୁଛି ଏବଂ ତଦନ୍ତ ସମୟରେ ଆସିଥିବା ବୟାନ ଓ ଏସଏଫଏସଏଲ୍‌ ରିପୋର୍ଟକୁ ନେଇ ତର୍ଜମା କରାଯିବ ।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଲେଶ୍ବରର ଏଫଏମ୍ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା । ଅନେକ ଚେଷ୍ଟା ସତ୍ତ୍ବେ ସେ ଆଖି ବୁଜିଥିଲେ ।

Leave a Reply

Your email address will not be published. Required fields are marked *