Sat. Feb 21st, 2026

ନ୍ୟୁଜ ଡେକ୍ସ : ବୁର୍ଲା ଥାନା ପୋଲିସ ଏକ ବଡ଼ ଠକେଇ ଚକ୍ରକୁ ପଣ୍ଡ କରି ଦୁଇ ଜଣକୁ ଗିରଫ କରିଛି। ମିଛ ଚାକିରି ନାମରେ ଗରିବ ଲୋକଙ୍କୁ ଠକି ୨ କୋଟି ଟଙ୍କା ଉଠାଇବା ମାମଲାରେ ଗିରଫ ହୋଇଛନ୍ତି ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ସେମାନଙ୍କଠାରୁ ୬୨.୧ ଲକ୍ଷ ଟଙ୍କା ଜବତ ହୋଇଛି।

ପୋଲିସ ତଦନ୍ତରୁ ଜଣାପଡ଼ିଛି, ଏମାନେ ପିଛଲା ଏକ ବର୍ଷ ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଠକିଥିଲେ। ପ୍ରତ୍ୟେକଙ୍କୁ ନିଯୁକ୍ତି ନାମରେ ୧୨ ହଜାର ଟଙ୍କା ନେଇଥିଲେ। ସେମାନେ “ଆରମେକ୍ସ ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ୍‌” ନାମରେ ଏକ ନକଲି ସଂସ୍ଥା ଖୋଲି ଗାଁ-ଗାଁରେ ସମାବେଶ କରି ଲୋକଙ୍କୁ ଚାକିରି ଦେବା ନାମରେ ଠକୁଥିଲେ।ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଏହି ଠକେଇ ଚକ୍ର ମୁଖ୍ୟତଃ ସଫେଇ କର୍ମଚାରୀ ଚାକିରି ନାମରେ ଏସ୍‌ସି ବର୍ଗର ଗରିବ ଲୋକଙ୍କୁ ଟାର୍ଗେଟ୍ କରୁଥିଲା।

ରାହୁଲ ଏବଂ ପଦ୍ମାବତୀ ଏହାର ମୁଖ୍ୟ ଚକ୍ରନେତା। ସେମାନେ ଆଗାମୀ ଦିନରେ ଆହୁରି ବଡ଼ ମାପର ଠକେଇ ଯୋଜନା କରୁଥିଲେ, ଯାହାକୁ ପୋଲିସ ସମୟରେ ରୋକିପାରିଛି।” ଏହି ମାମଲାରେ ଆହୁରି ଅନେକ ଜଣ ଜଡିତ ଥିବା ସୂଚନା ମିଳିଛି। ତାଙ୍କ ମଧ୍ୟରୁ ସୌମ୍ୟ ସାହୁ ନାମକ ଜଣେ ଛଦ୍ମବ୍ୟକ୍ତି ପୋଲିସର ରାଡାରରେ ଅଛନ୍ତି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ଏବଂ ଅବଶିଷ୍ଟ ଟଙ୍କା ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ଭାମୁ କହିଛନ୍ତି।

Leave a Reply

Your email address will not be published. Required fields are marked *