ନ୍ୟୁଜ ଡେକ୍ସ :ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ, ଆସନ୍ତା ବର୍ଷ ରବିବାର ବ୍ୟତୀତ ମୋଟ ୮୨ ଦିନ ଛୁଟି ରହିବ।ତେବେ ଛୁଟି ତାଲିକାରେ ଥିବା କିଛି ଜାତୀୟ ଓ ରାଜ୍ୟସ୍ତରୀୟ ଦିବସ ଦିନ ସ୍କୁଲରେ ପାଳନ କରାଯିବ।
ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ଦିନ ପିଲାମାନଙ୍କୁ ସ୍କୁଲ ଯାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପଡ଼ିବ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ତାପମାତ୍ରା ଓ ପାଗର ସ୍ଥିତି ଅନୁସାରେ ଆବଶ୍ୟକ ପଡ଼ିଲେ ଏହି ଛୁଟି ସମୟସୀମା ବଢ଼ାଯାଇପାରେ।ସେହିପରି ଦୁର୍ଗାପୂଜା ସମୟରେ ୮ ଦିନ ଛୁଟି ରହିବ। ଏହି ପୂଜା ଛୁଟି ଅକ୍ଟୋବର ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ।
ଏହା ସହ ଶୀତ ଋତୁରେ ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୮ ଦିନ ଶୀତ ଛୁଟି ମଧ୍ୟ ରହିବ। ତାଲିକା ଅନୁଯାୟୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ୨ ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯିବାର ବ୍ୟବସ୍ଥା ରହିଛି। ଏହି ଛୁଟି ତାଲିକା ପ୍ରକାଶ ପାଇବା ପରେ ପିଲା, ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ଆଗାମୀ ଶିକ୍ଷାବର୍ଷକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

