ନ୍ୟୁଜ ଡେକ୍ସ: ‘ମହିଳା ସମ୍ମାନ ଯୋଜନା’କୁ ଦିଲ୍ଲୀ କ୍ୟାବିନେଟ୍ର ମଞ୍ଜୁରି । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ମିଳିବ ୧୦୦୦ ଟଙ୍କା । ଆଜି ସକାଳେ ହୋଇଥିବା ଦିଲ୍ଲୀ କ୍ୟାବିନେଟ୍ ବୈଠକରେ ଏହି ଯୋଜନାର ମଞ୍ଜୁରି ମିଳିଛି । ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ପଞ୍ଜୀକରଣ କରାଯିବ ବୋଲି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘୋଷଣା ସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କିଛି ଦିନ ମଧ୍ୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ।
ଏହି କାରଣରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ ନାହିଁ। ଏହାପରେ ଖୁବଶୀଘ୍ର ଆଉ ଏକ ଘୋଷଣା କରି ସେ କହିଛନ୍ତି ଯେ ନିର୍ବାଚନ ପରେ ମହିଳାମାନଙ୍କୁ ଏହି ଯୋଜନା ଅଧୀନରେ ପ୍ରତିମାସରେ ୧୦୦୦ ବଦଳରେ ୨୧୦୦ ଟଙ୍କା ଦିଆଯିବ। ଏହି ଘୋଷଣା ବେଳେ କେଜ୍ରିୱାଲ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ଘୋଷଣା ମୁଁ କରିଥିଲି ଏବଂ ଆଶା କରୁଥିଲି ଯେ ଏହା ମେ’ -ଜୁନ୍ ମାସରେ କାର୍ଯ୍ୟକାରୀ ହୋଇଯିବ। କିନ୍ତୁ ତାହା ହୋଇ ପାରିନଥିଲା।
ଜେଲରୁ ଫେରିବା ପରଠାରୁ ମୁଁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସହ ଏହି ଯୋଜନାର କାର୍ଯ୍ୟକାରୀତାରେ ବ୍ୟସ୍ତ ଥିଲି ଏବଂ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି। ଏହା ମହିଳାଙ୍କ ପ୍ରତି ଆମର ଅନୁଗ୍ରହ ନୁହେଁ। ମହିଳାମାନେ ନିଜ ପରିବାର ଚଳାନ୍ତି। ପିଲାମାନଙ୍କୁ ସଂସ୍କାର ଦିଅନ୍ତି ଓ ପାଳି ପୋଷି ବଡ଼ କରନ୍ତି ଏବଂ ସେହି ପିଲାମାନେ ହିଁ ଆମର ଭବିଷ୍ୟତ। ଏପରି ସ୍ଥିତିରେ, ଯଦି ଆମେ ମହିଳାମାନଙ୍କୁ କିଛି ସାହାଯ୍ୟ କରିପାରିବା, ତେବେ ଏହା ଆମର ସୌଭାଗ୍ୟ।