Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତ ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ସହ ପ୍ରତିରକ୍ଷା ସହଯୋଗ ଏବଂ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ନିରନ୍ତର ପଦକ୍ଷେପ ନେଉଛି। ଏହି କ୍ରମରେ ସେନା ମୁଖ୍ୟ (COAS) ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର (ଜାନୁଆରୀ ୪) ଦିନ ୫ରୁ ୮ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଏବଂ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ଥାନ କରିଛନ୍ତି।

ସେନା ମୁଖ୍ୟଙ୍କ ଏହି ବିଦେଶ ଗସ୍ତକୁ ରଣନୈତିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଆକଳନ କରାଯାଉଛି।ଗସ୍ତ ସମୟରେ ଜେନେରାଲ ଦ୍ୱିବେଦୀ ଉଭୟ ଦେଶର ସେନା ପ୍ରମୁଖ, ବରିଷ୍ଠ ସାମରିକ ନେତୃତ୍ୱ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷିକ ସାମରିକ ସମ୍ପର୍କକୁ ଆହୁରି ମଜବୁତ କରିବେ। ଦକ୍ଷତା ବିକାଶ, ମିଳିତ ତାଲିମ, ବୃତ୍ତିଗତ ଆଦାନ-ପ୍ରଦାନ ଏବଂ ମିଳିତ ସେନା ଅଭ୍ୟାସ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଆଶା କରାଯାଉଛି।ପ୍ରଥମେ ଜାନୁଆରୀ ୫ରୁ ୬ ତାରିଖ ପର୍ଯ୍ୟନ୍ତ ସେନା ମୁଖ୍ୟ UAE ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଗସ୍ତ ସମୟରେ ସେ UAE ସ୍ଥଳସେନାର କମାଣ୍ଡର ସହିତ UAE ସଶସ୍ତ୍ର ବାହିନୀର ବରିଷ୍ଠ ନେତୃତ୍ୱଙ୍କୁ ଭେଟିବେ।

ସେ UAE ସେନାର ଗଠନ, ଭୂମିକା ଓ କ୍ଷମତା ସମ୍ପର୍କରେ ଅବଗତ ହେବେ। ଏହାସହ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଓ UAE ଜାତୀୟ ପ୍ରତିରକ୍ଷା କଲେଜ ପରିଦର୍ଶନ କରି ଅଧିକାରୀ ଓ ସୈନିକଙ୍କୁ ସମ୍ବୋଧିତ କରିବେ, ଯାହା ଭାରତ–UAE ମଧ୍ୟରେ ବଢ଼ୁଥିବା ପ୍ରତିରକ୍ଷା ସହଭାଗୀତାକୁ ପ୍ରତିଫଳିତ କରେ।UAE ଗସ୍ତ ପରେ ଜେନେରାଲ ଦ୍ୱିବେଦୀ ଜାନୁଆରୀ ୭ ଓ ୮ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଶ୍ରୀଲଙ୍କା ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ।

ଉଲ୍ଲେଖନୀୟ ଯେ, ଚୀନ୍ ଏବଂ ପାକିସ୍ତାନ ଶ୍ରୀଲଙ୍କାରେ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଥିବା ସମୟରେ ସେନା ମୁଖ୍ୟଙ୍କ ଏହି ଗସ୍ତ ହେଉଛି। ଏହା ମାଧ୍ୟମରେ ଭାରତ ‘ପଡ଼ୋଶୀ ପ୍ରଥମ’ ନୀତି ଅନ୍ତର୍ଗତ ଶ୍ରୀଲଙ୍କା ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷା ସହଯୋଗୀ ଏବଂ ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ ନିଜ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *